ଡିୟୁଏସ୍ୟୁ ଫଳାଫଳ: ୩ କେନ୍ଦ୍ରୀୟ ପଦ ଏବିଭିପିକୁ, ସ୍ୱାଧୀନ ପ୍ରାର୍ଥୀ ଉପସଭାପତି

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ୨୦୨୬ର ଫଳାଫଳ ପ୍ରକାଶ ପାଇଛି। ୨୦ ରାଉଣ୍ଡ ଭୋଟ୍ ଗଣତି ପରେ ୪ଟି କେନ୍ଦ୍ରୀୟ ପଦ ମଧ୍ୟରୁ ୩ଟିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସଭାପତି, ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ପଦ ଏବିଭିପି ହାତେଇଥିବା ବେଳେ ଉପସଭାପତି ପଦରେ ସ୍ୱାଧୀନ ପ୍ରାର୍ଥୀ ଦୀପାଂଶୁ ଶୋକିନ ବିଜୟୀ ହୋଇଛନ୍ତି।
ସଭାପତି ପଦରେ ଏବିଭିପିର ଯଶ ଡାବାସ ୨୪,୫୭୬ ଭୋଟ୍ ପାଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏନ୍ଏସ୍ୟୁଆଇର ବିଜୟ ଶଙ୍କର ମୀନା ୨୨,୫୨୩ ଭୋଟ୍ ପାଇଛନ୍ତି। ସେହିପରି ରିୟା ଛାବଡ଼ି ୨୧,୬୫୦ ଭୋଟ୍ ପାଇ ସମ୍ପାଦକ ଓ ଲକ୍ଷ୍ୟ ରାଜ ସିଂହ ୧୬,୬୧୫ ଭୋଟ୍ ପାଇ ଯୁଗ୍ମ ସମ୍ପାଦକ ନିର୍ବାଚିତ ହୋଇଛନ୍ତି।
ଉପସଭାପତି ପଦରେ ଦୀପାଂଶୁ ଶୋକିନ ୩୦,୬୧୫ ଭୋଟ୍ ପାଇଛନ୍ତି। ଏବିଭିପିର ଇଶୁ ମୌର୍ଯ୍ୟଙ୍କୁ ୧୬,୯୧୦ ଭୋଟ୍ ମିଳିଛି। ପୂର୍ବରୁ ଏନ୍ଏସ୍ୟୁଆଇ ସହ ଜଡ଼ିତ ଥିବା ଶୋକିନ ଏଥର ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ତାଙ୍କ ପିତା ବସ୍ କଣ୍ଡକ୍ଟର ଓ ମାଆ ଅଙ୍ଗନୱାଡ଼ି କର୍ମୀ ବୋଲି ରିପୋର୍ଟରୁ ଜଣାପଡ଼ିଛି।
ନିର୍ବାଚନ ଫଳାଫଳ ଘୋଷଣା ସମୟରେ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଥିଲା। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଜୟୀ ପ୍ରାର୍ଥୀ ଓ ସମର୍ଥକଙ୍କୁ ବିଜୟ ଶୋଭାଯାତ୍ରା ନକରିବାକୁ କୁହାଯାଇଥିଲା।



