ପରଲୋକରେ ପ୍ରଖ୍ୟାତ ନିର୍ଦ୍ଦେଶକ ସିଙ୍ଗିଥମ୍ ଶ୍ରୀନିବାସ ରାଓ

ଚେନ୍ନାଇ: ଭାରତୀୟ ସିନେମା ଜଗତର ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସିଙ୍ଗିଥମ୍ ଶ୍ରୀନିବାସ ରାଓଙ୍କ ପରଲୋକ ଘଟିଛି। ଶନିବାର ରାତିରେ ଚେନ୍ନାଇସ୍ଥିତ କାଭେରୀ ହସ୍ପିଟାଲରେ ୯୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କିଛି ଦିନ ଧରି ବୟସଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
୧୯୩୧ ସେପ୍ଟେମ୍ବର ୨୧ରେ ଆନ୍ଧ୍ରପ୍ରଦେଶର ଗୁଡୁରରେ ଜନ୍ମିତ ସିଙ୍ଗିଥମ୍, ପ୍ରଖ୍ୟାତ ନିର୍ଦ୍ଦେଶକ ଏଲ୍.ଭି. ପ୍ରସାଦଙ୍କ ସହଯୋଗୀ ଭାବେ ଫିଲ୍ମ ଜଗତରେ ପାଦ ଥାପିଥିଲେ। ୧୯୭୨ରେ ‘ନୀତି ନିଜାୟିତି’ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରକୁ ଆସିଥିଲେ। ପ୍ରାୟ ୬ ଦଶନ୍ଧିର କ୍ୟାରିୟରରେ ସେ ତେଲୁଗୁ ସମେତ କନ୍ନଡ, ହିନ୍ଦୀ ଓ ଅନ୍ୟାନ୍ୟ ଭାଷାରେ ଚଳଚ୍ଚିତ୍ର ନିର୍ମାଣ କରିଥିଲେ।
କମଲ ହାସନ ଅଭିନୀତ ସଂଳାପବିହୀନ ‘ପୁଷ୍ପକ ବିମାନମ୍’, ସାଇନ୍ସ ଫିକ୍ସନ୍ ଫିଲ୍ମ ‘ଆଦିତ୍ୟ ୩୬୯’ ଏବଂ ‘ମାଇକେଲ୍ ମଦନ କାମା ରାଜନ’ ଭଳି ଚଳଚ୍ଚିତ୍ର ତାଙ୍କ ସୃଜନଶୀଳତାର ପରିଚୟ ଦେଇଥିଲା। ତାଙ୍କ ଶେଷ ଫିଲ୍ମ ‘ସିଙ୍ଗ ଗୀଥମ୍’ ଚଳିତ ବର୍ଷ ଆରମ୍ଭରେ ସମ୍ପୂର୍ଣ୍ଣ ହୋଇଥିଲା।
ତାଙ୍କ ବିୟୋଗରେ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ଅଭିନେତା ଜୁନିଅର ଏନ୍ଟିଆର୍ଙ୍କ ସମେତ ବହୁ ଅଭିନେତା ଓ ଫିଲ୍ମ ନିର୍ମାତା ଶୋକ ପ୍ରକାଶ କରି ତାଙ୍କୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ଓ ସମୟଠାରୁ ଆଗୁଆ ଚିନ୍ତାଧାରାର ନିର୍ଦ୍ଦେଶକ ଭାବେ ସ୍ମରଣ କରିଛନ୍ତି।



