ଡିଏଲ୍ ନିୟମରେ ବଡ଼ ପରିବର୍ତ୍ତନ ପ୍ରସ୍ତାବ, ୭୫% ନମ୍ବର ରଖିବାକୁ ପଡ଼ିବ

ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ। ଏଥିପାଇଁ ସେଣ୍ଟ୍ରାଲ ମୋଟର ଭେଇକିଲ୍ସ ରୁଲ୍ସରେ ସଂଶୋଧନ ନିମନ୍ତେ ଏକ ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି। ଏହି ପ୍ରସ୍ତାବ ଲାଗୁ ହେଲେ ଲାଇସେନ୍ସର ଫର୍ମାଟ୍, ଆବଶ୍ୟକ ଦସ୍ତାବିଜ ଓ ସୁରକ୍ଷିତ ଡ୍ରାଇଭିଂ ମୂଲ୍ୟାୟନ ପ୍ରକ୍ରିୟାରେ ପରିବର୍ତ୍ତନ ହୋଇପାରେ।
ପ୍ରସ୍ତାବ ଅନୁସାରେ, ନୂଆ ଓ ନବୀକରଣ ହେଉଥିବା ଡ୍ରାଇଭିଂ ଲାଇସେନ୍ସ ଲାମିନେଟେଡ୍ କିମ୍ବା ପିଭିସି କାର୍ଡ ଆକାରରେ ଜାରି କରାଯିବ। ଭାରତୀୟ ଓ ବିଦେଶୀ ନାଗରିକଙ୍କ ପାଇଁ ଭିନ୍ନ ରଙ୍ଗ ଓ ଫର୍ମାଟ୍ ରଖିବାକୁ ପ୍ରସ୍ତାବ ରହିଛି। ଲାଇସେନ୍ସରେ ରକ୍ତ ଗୋଷ୍ଠୀ, ମୋବାଇଲ୍ ନମ୍ବର ଓ ଜରୁରୀକାଳୀନ ଯୋଗାଯୋଗ ନମ୍ବର ମଧ୍ୟ ଉଲ୍ଲେଖ କରାଯାଇପାରେ।
ସେହିପରି ବୟସ ଓ ଠିକଣା ପ୍ରମାଣ ପାଇଁ ମାଜିଷ୍ଟ୍ରେଟ୍ କିମ୍ବା ନୋଟାରୀଙ୍କ ନିକଟରୁ ଆଫିଡେଭିଟ୍ କରାଇବା ବ୍ୟବସ୍ଥା ହଟାଇବାକୁ ପ୍ରସ୍ତାବ ଦିଆଯାଇଛି। ଏହା ବଦଳରେ ଆଧାର କାର୍ଡ, ପାସପୋର୍ଟ, ଭୋଟର୍ ପରିଚୟପତ୍ର, ଇ-ରାସନ୍ କାର୍ଡ ଓ ଜନ୍ମ ପ୍ରମାଣପତ୍ର ଭଳି ଦସ୍ତାବିଜ ଗ୍ରହଣ କରାଯାଇପାରେ।
ସଡ଼କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇ ସେଫ୍ ଡ୍ରାଇଭିଂ ଟ୍ୟୁଟୋରିଆଲ୍ ମୂଲ୍ୟାୟନରେ ପାସ୍ ନମ୍ବର ୬୦ ପ୍ରତିଶତରୁ ବଢ଼ାଇ ୭୫ ପ୍ରତିଶତ କରିବାକୁ ପ୍ରସ୍ତାବ ରହିଛି। ଏଥିସହ ଟ୍ୟୁଟୋରିଆଲ୍ ଭିଡିଓ ଦେଖିବା କିମ୍ବା କ୍ଲାସ୍ରେ ଅତି କମ୍ରେ ୩୦ ମିନିଟ୍ ଅଂଶଗ୍ରହଣ କରିବା ବାଧ୍ୟତାମୂଳକ କରାଯାଇପାରେ। ତେବେ ଏହି ନିୟମଗୁଡ଼ିକ ଏବେ ପ୍ରସ୍ତାବ ପର୍ଯ୍ୟାୟରେ ରହିଛି।


