ଔଷଧର ଦାମ୍ ଉପରେ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ସରକାରଙ୍କଠାରୁ ମାଗିଲେ ଜବାବ

କ୍ୟାନ୍ସର ଚିକିତ୍ସା ଖର୍ଚ୍ଚ ଓ ଔଷଧର ଅତ୍ୟଧିକ ମୂଲ୍ୟ ଆଦାୟକୁ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ୧୧ ହଜାର ଟଙ୍କାର ଏକ କ୍ୟାନ୍ସର ଇଞ୍ଜେକ୍ସନ୍ ପାଇଁ ହସ୍ପିଟାଲ ୧ ଲକ୍ଷ ୩୦ ହଜାର ଟଙ୍କା ନେଇଥିବା ଘଟଣାକୁ ନେଇ କୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଔଷଧର ମୂଳ ଦାମ୍ ଓ ରୋଗୀଙ୍କଠାରୁ ନିଆଯାଉଥିବା ଅର୍ଥ ମଧ୍ୟରେ ଏତେ ବଡ଼ ପାର୍ଥକ୍ୟ କିପରି ରହୁଛି, ତାହା ଉପରେ ଖଣ୍ଡପୀଠ ଜବାବ ମାଗିଛନ୍ତି।
ବିଚାରପତି ବିକ୍ରମ ନାଥ ଓ ସନ୍ଦୀପ ମେହତାଙ୍କ ଖଣ୍ଡପୀଠ ଔଷଧ ମୂଲ୍ୟ ନିୟନ୍ତ୍ରଣ ବ୍ୟବସ୍ଥା ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ଔଷଧ ନିର୍ମାତାଙ୍କ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦିଆଯାଉଛି କି ଏବଂ ଏତେ ଅଧିକ ଦାମ୍ ଆଦାୟକୁ କିପରି ଅନୁମତି ମିଳୁଛି, ସେନେଇ କୋର୍ଟ ପ୍ରଶ୍ନ ଉଠାଇଛନ୍ତି।
ହସ୍ପିଟାଲ ଚିକିତ୍ସା ସେବା ପାଇଁ ଶୁଳ୍କ ନେବାରେ ଆପତ୍ତି ନାହିଁ। କିନ୍ତୁ ଔଷଧର ପ୍ରକୃତ ମୂଲ୍ୟଠାରୁ ୧୦୦ରୁ ୨୦୦ ଗୁଣ ଅଧିକ ଟଙ୍କା ଆଦାୟକୁ ଯଥାର୍ଥ କୁହାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି।
କ୍ୟାନ୍ସର ଔଷଧ ଉପରେ ସରକାର ଧାର୍ଯ୍ୟ କରିଥିବା ୩୦ ପ୍ରତିଶତ ବାଣିଜ୍ୟିକ ଲାଭ ସୀମା ନେଇ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି। ଏହି ନିୟମ ଅନ୍ୟ ଔଷଧ ପାଇଁ କାହିଁକି ଲାଗୁ କରାଯାଇପାରିବ ନାହିଁ, ତାହା ଜାଣିବାକୁ ଖଣ୍ଡପୀଠ ଚାହିଁଛନ୍ତି। ଔଷଧର ଦାମ୍ ନିୟନ୍ତ୍ରଣ ବ୍ୟବସ୍ଥା ରୋଗୀଙ୍କୁ ଅତ୍ୟଧିକ ଚିକିତ୍ସା ଖର୍ଚ୍ଚରୁ କେତେ ସୁରକ୍ଷା ଦେଉଛି, ସେନେଇ ଶୁଣାଣି ପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।



