Breaking PLUSଓଡ଼ିଶାଦେଶମୁଖ୍ୟ ଖବରଶିକ୍ଷାସ୍ୱତନ୍ତ୍ର

ବାତ୍ୟା ‘ଅର୍ଣ୍ଣବ’ ପାଇଁ ଓସିଏସ୍‌ ମୁଖ୍ୟ ପରୀକ୍ଷା ଘୁଞ୍ଚିଲା

ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏସ୍‌) ମୁଖ୍ୟ ଲିଖିତ ପରୀକ୍ଷାକୁ ଦୁଇଦିନ ଘୁଞ୍ଚାଇଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)। ପୂର୍ବ ନିର୍ଦ୍ଧାରିତ ଅକ୍ଟୋବର ୨୯ ବଦଳରେ ଅକ୍ଟୋବର ୩୧ରୁ ପରୀକ୍ଷା ଆରମ୍ଭ ହେବ। ଏନେଇ ସୋମବାର ସଂଶୋଧିତ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ତେବେ ନୂଆ ସୂଚୀରେ ପରୀକ୍ଷା ମଧ୍ୟରେ ବ୍ୟବଧାନ କମିଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁଯାୟୀ, ନଭେମ୍ବର ୪ ଓ ୫ରେ ଲଗାତାର ଦୁଇଟି ପରୀକ୍ଷା ରହିଛି। ଏଥିମଧ୍ୟରେ ଗୋଟିଏ ଦିନର ବ୍ୟବଧାନ ମଧ୍ୟ ରଖାଯାଇନାହିଁ। ସେହିପରି ପୂର୍ବ ସୂଚୀରେ ଇଚ୍ଛାଧୀନ ବିଷୟର ପ୍ରସ୍ତୁତି ପାଇଁ ଦୁଇଦିନର ବ୍ୟବଧାନ ଥିବାବେଳେ ସଂଶୋଧିତ ସୂଚୀରେ ଏହାକୁ ଗୋଟିଏ ଦିନକୁ କମାଇ ଦିଆଯାଇଛି। ଫଳରେ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ ନାହିଁ ବୋଲି ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଓପିଏସ୍‌ସି ପକ୍ଷରୁ ଜୁନ୍‌ ୭ରେ ଓସିଏସ୍‌ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କଟକ, ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁର ଜୋନ୍‌ର ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ଜୁଲାଇ ୧୦ରେ ପ୍ରକାଶିତ ଫଳାଫଳରେ ମୋଟ ୫,୬୯୦ ଜଣ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରେ ୧,୯୦୫ ଜଣ ମହିଳା ପ୍ରାର୍ଥୀ ରହିଥିଲେ।

ସଂଶୋଧିତ ସୂଚୀ ଅନୁଯାୟୀ, ଅକ୍ଟୋବର ୩୧ରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ହେବ। ନଭେମ୍ବର ୨ରେ ଜେନେରାଲ୍‌ ଷ୍ଟଡିଜ୍‌ ପେପର-୧, ୩ ତାରିଖରେ ପେପର-୨, ୪ ତାରିଖରେ ପେପର-୩ ଓ ୪, ୫ ତାରିଖରେ ରଚନା ଏବଂ ୭ ତାରିଖରେ ବିଭିନ୍ନ ଇଚ୍ଛାଧୀନ ବିଷୟରେ ପରୀକ୍ଷା ହେବ ବୋଲି ସୂଚୀରେ ଉଲ୍ଲେଖ ରହିଛି।

Show More

Related Articles

Back to top button