ବିମାନ ଦୁର୍ଘଟଣା ରୋକିଥିବା ଭାରତୀୟ ପାଇଲଟ୍ଙ୍କୁ ୟୁଏଇର ସର୍ବୋଚ୍ଚ ସମ୍ମାନ

ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଏଦୁବାଇ ବିମାନକୁ ସମ୍ଭାବ୍ୟ ଦୁର୍ଘଟଣାରୁ ରକ୍ଷା କରି ସାହସିକତାର ପରିଚୟ ଦେଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କୁ ସମ୍ମାନିତ କରିଛି ୟୁଏଇ। ତାଙ୍କୁ ଦେଶର ପ୍ରମୁଖ ସମ୍ମାନ ‘ଜାୟେଦ୍ ଦ୍ୱିତୀୟ ଶ୍ରେଣୀ’ ପ୍ରଦାନ କରାଯାଇଛି। ସମ୍ମାନ ପ୍ରଦାନ ସମାରୋହରେ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ କ୍ୟାପ୍ଟେନ୍ ମଚ୍ଛାରଙ୍କୁ ଆଲିଙ୍ଗନ କରି ତାଙ୍କ ସାହସିକତାକୁ ପ୍ରଶଂସା କରିଥିଲେ।
ସେପ୍ଟେମ୍ବର ୩୦ରେ ଫ୍ଲାଏଦୁବାଇର ବିମାନ ଏଫ୍ଜେଡ୍ ୧୦୭୩ ଦୁବାଇରୁ ତେଲ୍ ଆଭିଭ୍ ଯାତ୍ରା କରୁଥିବାବେଳେ କକ୍ପିଟ୍ ଭିତରେ ସହ-ପାଇଲଟ୍ କ୍ୟାପ୍ଟେନ୍ ମଚ୍ଛାରଙ୍କୁ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ସେ ଗୁରୁତର ଆହତ ହୋଇଥିଲେ। ଏପରିକି ବିମାନକୁ ତଳକୁ ଖସାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି।
ଏହି ସଙ୍କଟପୂର୍ଣ୍ଣ ସମୟରେ କ୍ୟାପ୍ଟେନ୍ ମଚ୍ଛାର କକ୍ପିଟ୍ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ପରେ ବିମାନର ଅନ୍ୟ କର୍ମଚାରୀ ଓ ଯାତ୍ରୀମାନେ ଏକାଠି ହୋଇ ଆକ୍ରମଣକାରୀଙ୍କୁ କାବୁ କରିଥିଲେ। ଏହି ଘଟଣାରେ ପାଇଲଟ୍ଙ୍କ ସାହସ ଓ ଯାତ୍ରୀଙ୍କ ସୁରକ୍ଷା ପ୍ରତି ତାଙ୍କ ଦାୟିତ୍ୱବୋଧକୁ ୟୁଏଇ ନେତୃତ୍ୱ ପ୍ରଶଂସା କରିଛି।
ଦୁବାଇର ଯୁବରାଜ ଶେଖ୍ ହମଦାନ୍ ମଧ୍ୟ କ୍ୟାପ୍ଟେନ୍ ମଚ୍ଛାରଙ୍କୁ ୟୁଏଇର ଗର୍ବ ବୋଲି କହିଛନ୍ତି। ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ତାଙ୍କ ସାହସିକତାକୁ ପ୍ରଶଂସା କରିଥିଲେ। ସମାରୋହରେ ୟୁଏଇର ଉପରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଓ ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମକତୁମ୍ ମଧ୍ୟ ଉପସ୍ଥିତ ଥିଲେ।



