Breaking PLUSଓଡ଼ିଶାଦେଶପାଣିପାଗମୁଖ୍ୟ ଖବର

ମାଲକାନଗିରି ମୁହାଁ ବାତ୍ୟା ‘ଅର୍ଣ୍ଣବ’, ୮ ଜିଲ୍ଲାରେ ସତର୍କତା ଜାରି

ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁବା ପରେ ଓଡ଼ିଶାର ମାଲକାନଗିରି ଆଡ଼କୁ ମୁହାଁଇଛି ବାତ୍ୟା ଅର୍ଣ୍ଣବ। ଆଜି ରାତି ସୁଦ୍ଧା ଏହା ମାଲକାନଗିରି ଅତିକ୍ରମ କରି ଛତିଶଗଡ଼ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନ ହେଉଥିବାବେଳେ ଆଗାମୀ ୨୪ ଘଣ୍ଟା ପାଇଁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିଶନର ରାଜେଶ ପ୍ରଭାକର ପାଟିଲଙ୍କ କହିବା ଅନୁଯାୟୀ, ବାତ୍ୟା ନୂଆପଡ଼ା ଦେଇ ଛତିଶଗଡ଼ ଯିବା ପର୍ଯ୍ୟନ୍ତ ସ୍ଥିତି ଉପରେ ନଜର ରଖାଯିବ। ଛତିଶଗଡ଼ରେ ଅଧିକ ବର୍ଷା ହେଲେ ହୀରାକୁଦ ଜଳଭଣ୍ଡାର ଓ ମହାନଦୀ ଅବବାହିକାରେ ଜଳସ୍ତର ବଢ଼ିବାର ଆଶଙ୍କା ରହିଛି। ମାଲକାନଗିରି ଅତିକ୍ରମ ସମୟରେ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ପବନ ବହିପାରେ। ପରେ ବାତ୍ୟା ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି।

ବାତ୍ୟା ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଗଜପତିର ମୋହନାରେ ସର୍ବାଧିକ ୧୮୨ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ପାରଳାଖେମୁଣ୍ଡିରେ ୧୪୦ ମିମି, ଗୁମାରେ ୧୩୫ ମିମି ଓ ରାୟଗଡ଼ାରେ ୧୦୬ ମିମି ବର୍ଷା ହୋଇଛି। ସେହିପରି ଗଞ୍ଜାମ ବ୍ଲକ୍‌ରେ ୧୬୧ ମିମି ଓ ଛତ୍ରପୁରରେ ୧୫୪ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ଭାବ୍ୟ ବନ୍ୟା ଓ ଅନ୍ୟାନ୍ୟ ବିପଦକୁ ଏଡ଼ାଇବା ପାଇଁ ୮ଟି ଜିଲ୍ଲାରୁ ପ୍ରାୟ ୨୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ମୋଟ ୪୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାର ଯୋଜନା ରହିଛି। ଏଥିମଧ୍ୟରେ ୨,୨୦୦ ଗର୍ଭବତୀ ମହିଳା ଅଛନ୍ତି। ପ୍ରଭାବିତଙ୍କ ପାଇଁ ୩୨୪ଟି ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ସହ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀକୁ ମଧ୍ୟ ମୁତୟନ କରାଯାଇଛି।

ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ, ଏଯାଏଁ କୌଣସି ବଡ଼ ଅପ୍ରୀତିକର ଘଟଣା ଘଟିନାହିଁ। ତେବେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା, ପାଚେରି ଭାଙ୍ଗିବା ଓ ରାସ୍ତାରେ ପାଣି ଜମିବା ଭଳି ଘଟଣା ସାମ୍ନାକୁ ଆସିଛି। ଉଦ୍ଧାରକାରୀ ଦଳ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ବାତ୍ୟା ପରେ ଫସଲ କ୍ଷୟକ୍ଷତିର ଆକଳନ କରାଯିବ।

Show More

Related Articles

Back to top button