ପୋଲିସ ଏସ୍ଆଇ ପରୀକ୍ଷା: ତଥ୍ୟ ଯାଞ୍ଚ ଅବଧି ନଭେମ୍ବର ୮ ଯାଏଁ ବୃଦ୍ଧି

ଭୁବନେଶ୍ୱର: ମିଳିଲା ଆଉ ୧୦ ଦିନ ସମୟ। ମିଳିତ ପୋଲିସ ସେବା ପରୀକ୍ଷା-୨୦୨୪ (ସିପିଏସ୍ଇ-୨୦୨୪) ଅଧୀନରେ ସବ୍-ଇନ୍ସପେକ୍ଟର (ଏସ୍ଆଇ) ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ତଥ୍ୟ ଅପଡେଟ୍ ଓ ଯାଞ୍ଚ କରିବାର ସମୟସୀମାକୁ ୧୦ ଦିନ ବୃଦ୍ଧି କରିଛି ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ କମିଶନ (ଓୟୁଏସ୍ଏସ୍ଏସ୍ସି)।
ନୂଆ ସମୟସୀମା ଅନୁଯାୟୀ, ପ୍ରାର୍ଥୀମାନେ ୨୦୨୬ ନଭେମ୍ବର ୮ ତାରିଖ ରାତି ୧୦ଟା ସୁଦ୍ଧା ନିଜର ପରିଚୟପତ୍ର ସମ୍ବନ୍ଧୀୟ ତଥ୍ୟ ଓ ଅନ୍ୟାନ୍ୟ ଡାଟା ଅପଡେଟ୍ କିମ୍ବା ଯାଞ୍ଚ କରିପାରିବେ। ବୟସ ସୀମାରେ କୋହଳ ପାଇବାକୁ ଯୋଗ୍ୟ ପ୍ରାର୍ଥୀଙ୍କ ସମେତ ସମସ୍ତ ସମ୍ପୃକ୍ତ ଆବେଦନକାରୀଙ୍କ ପାଇଁ ଏହି ସୁବିଧା ଲାଗୁ ହେବ।
ପ୍ରାର୍ଥୀମାନେ କମିଶନଙ୍କ ଅଧିକାରିକ ୱେବ୍ସାଇଟ୍ https://ousssc.odisha.gov.in ରେ ଲଗ୍ଇନ୍ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ପ୍ରକ୍ରିୟା ପୂରଣ କରିବାକୁ କୁହାଯାଇଛି। ଥରେ ଅପଡେଟ୍ କିମ୍ବା ଯାଞ୍ଚ ହୋଇଥିବା ତଥ୍ୟକୁ ସିପିଏସ୍ଇ-୨୦୨୪ର ପରବର୍ତ୍ତୀ ସମସ୍ତ ପରୀକ୍ଷା ପର୍ଯ୍ୟାୟ ପାଇଁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ ବୋଲି କମିଶନ ସ୍ପଷ୍ଟ କରିଛନ୍ତି।
ଏହାକୁ ଶେଷ ସୁଯୋଗ ବୋଲି ଦର୍ଶାଇ କମିଶନ କହିଛନ୍ତି ଯେ, କୌଣସି ପରିସ୍ଥିତିରେ ଆଉ ସମୟସୀମା ବୃଦ୍ଧି କରାଯିବ ନାହିଁ। ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକ୍ରିୟା ପୂରଣ ନକଲେ ଏଥିପାଇଁ ପ୍ରାର୍ଥୀ ନିଜେ ଦାୟୀ ରହିବେ। ଶେଷ ମୁହୂର୍ତ୍ତର ଅସୁବିଧା ଏଡ଼ାଇବାକୁ ଆଗୁଆ ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି।
କମିଶନଙ୍କ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ସଚିବଙ୍କ ପକ୍ଷରୁ ୨୦୨୬ ଅକ୍ଟୋବର ୨୯ ତାରିଖରେ ଏ ସମ୍ପର୍କିତ ବିଜ୍ଞପ୍ତି ଜାରି କରାଯାଇଛି।



