ଓଡ଼ିଶାରେ ୯ ଜଣ ପୋଲିସ ଅଧିକାରୀଙ୍କ ବଦଳି, ଜେଲ୍ ଡିଜିଙ୍କୁ ଗୃହ ବିଭାଗରେ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ୮ ଜଣ ଆଇପିଏସ୍ ଏବଂ ଜଣେ ଓପିଏସ୍ ଅଧିକାରୀଙ୍କ ବଦଳି ଓ ନୂଆ ନିଯୁକ୍ତି ନେଇ ନିର୍ଦ୍ଦେଶ ଜାରି କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଜେଲ୍ ଡିଜି ସୁଶାନ୍ତ କୁମାର ନାଥଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ନିଯୁକ୍ତ କରାଯାଇଛି।
୧୯୯୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ନାଥ କାରାଗାର ଓ ସଂଶୋଧନ ସେବା ମହାନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ। ତାଙ୍କ ସ୍ଥାନରେ ୧୯୯୫ ବ୍ୟାଚ୍ ଆଇପିଏସ୍ ସନ୍ତୋଷ ବଳଙ୍କୁ ଅତିରିକ୍ତ ଡିଜି, ଜେଲ୍ ଏବଂ ନିର୍ଦ୍ଦେଶକ, ସଂଶୋଧନ ସେବାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
୧୯୯୮ ବ୍ୟାଚ୍ ଆଇପିଏସ୍ ଅମିତାଭ ଠାକୁରଙ୍କୁ ପରିବହନ କମିଶନର ଭାବେ ନିଯୁକ୍ତ କରାଯାଇଛି। ସେ ଏହା ପୂର୍ବରୁ ପରିବହନ କମିଶନର ଏବଂ ଅତିରିକ୍ତ ଡିଜି, ଜେଲ୍ ଦାୟିତ୍ୱରେ ଥିଲେ। ସେହିପରି, ୧୯୯୮ ବ୍ୟାଚ୍ ଆଇପିଏସ୍ ରାଜେଶ କୁମାରଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୧୦ ବ୍ୟାଚ୍ ଆଇପିଏସ୍ ସାରା ଶର୍ମାଙ୍କୁ ଭିଜିଲାନ୍ସ ଡିଆଇଜି ଭାବେ ନିଯୁକ୍ତ କରାଯାଇଛି। ୨୦୧୯ ବ୍ୟାଚ୍ ଆଇପିଏସ୍ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟର ଏଆଇଜି ଭାବେ ନିଯୁକ୍ତି ମିଳିଛି। ୨୦୨୧ ବ୍ୟାଚ୍ ଆଇପିଏସ୍ ଅମୃତପାଲ ସିଂହଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟର ଏସ୍ପି ଭାବେ ବଦଳି କରାଯାଇଛି।
ଏହାସହ ୨୦୨୨ ବ୍ୟାଚ୍ ଆଇପିଏସ୍ ସୋନାଲି ସିଂହ ପରମାରଙ୍କୁ ଝାରସୁଗୁଡ଼ା ଏସ୍ପି ଏବଂ ଓପିଏସ୍ ଅଧିକାରୀ ତପନ ନାରାୟଣ ରଥଙ୍କୁ ନୂଆପଡ଼ା ଏସ୍ପି ଭାବେ ନିଯୁକ୍ତ କରାଯାଇଛି।
ସୁଶାନ୍ତ କୁମାର ନାଥଙ୍କ ବିରୋଧରେ ପୂର୍ବତନ ଚୌଦ୍ୱାର ଜେଲର ସନ୍ତୋଷିନୀ ଜେନା ଯୌନ ନିର୍ଯାତନା, ହତ୍ୟା ଧମକ ଓ ଅନ୍ୟାନ୍ୟ ଅପରାଧିକ ଅଭିଯୋଗ ଆଣିଥିଲେ। ଏନେଇ ଚୌଦ୍ୱାର ଥାନାରେ ବିଏନ୍ଏସ୍ର ଧାରା ୭୫(୨), ୩୫୧(୨) ଓ ୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହାର ତଦନ୍ତ ଚାଲିଥିବା ବେଳେ ସରକାର ତାଙ୍କୁ ଜେଲ୍ ଡିଜି ପଦରୁ ହଟାଇ ଗୃହ ବିଭାଗରେ ନିଯୁକ୍ତ କରିଛନ୍ତି।



