ଦିଲ୍ଲୀର ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୪ ମୃତ; ୨ ଗୁରୁତର

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ଜୋତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ଜୀବନ ଯାଇଛି। ଏଥିରେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଉତ୍ତର-ପଶ୍ଚିମ ଦିଲ୍ଲୀର ମଙ୍ଗୋଲପୁରୀ ଶିଳ୍ପାଞ୍ଚଳ ଫେଜ୍-୧ରେ ଥିବା ବି-୨୯୩/୨୯୪ ନମ୍ବର କାରଖାନାରେ ଗୁରୁବାର ରାତି ପ୍ରାୟ ୯ଟା ୩୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା।
ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ନିଆଁ ଲିଭାଇବା ସହ କାରଖାନା ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ସମୟରେ ୬ ଜଣଙ୍କୁ ଅଚେତ ଅବସ୍ଥାରେ ବାହାର କରାଯାଇ ମଙ୍ଗୋଲପୁରୀର ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ପ୍ରାଥମିକ ତଦନ୍ତ ଅନୁଯାୟୀ, କାରଖାନାର ବେସମେଣ୍ଟରୁ ନିଆଁ ଲାଗିଥିଲା। ପରେ ଏହାର ଧୂଆଁ ଓ ନିଆଁ ଉପର ମହଲାକୁ ବ୍ୟାପିଯାଇଥିଲା। ଅଗ୍ନିଶମ ଅଧିକାରୀ ପାରସ କୁମାରଙ୍କ କହିବା ଅନୁଯାୟୀ, ବେସମେଣ୍ଟରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରାଯାଇ ଏହା ଅଧିକ ବ୍ୟାପିବାରୁ ରୋକାଯାଇଥିଲା।
ଅନ୍ୟପଟେ, କାରଖାନା ମାଲିକଙ୍କୁ ପୋଲିସ ସମନ କରିଛି। ଦୁର୍ଘଟଣା ସମୟରେ କାରଖାନାରେ କେତେ ଶ୍ରମିକ ଉପସ୍ଥିତ ଥିଲେ, ତାହା ଜାଣିବା ପାଇଁ ଠିକାଦାର ଓ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କାରଖାନାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିଲା କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।



