ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ, ୧୨ ଘଣ୍ଟାରେ ଅବପାତ ଆଶଙ୍କା

ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେଇପାରେ। ଦୁଇ ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରିବା ଆକଳନ କରାଯାଇଛି।
ପାଣିପାଗ ଆକଳନ ଅନୁଯାୟୀ, ନଭେମ୍ବର ୨ ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିପାରେ। ଏହାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି। ସମ୍ଭାବ୍ୟ ଘୂର୍ଣ୍ଣିବଳୟର ପ୍ରଭାବରେ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା, ଘଡ଼ଘଡ଼ି ଓ ପବନ ହୋଇପାରେ।
ଏପଟେ, ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ଜାରି ରହିଛି। ଶୁକ୍ରବାର ବର୍ଷାର ପରିମାଣ କମିଥିଲେ ମଧ୍ୟ ରାଜ୍ୟର ୨୬ଟି ସ୍ଥାନରେ ପ୍ରବଳ ଓ ୪ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ‘ଅର୍ଣ୍ଣବ’ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବା ପରେ ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ପୂର୍ବ ମଧ୍ୟପ୍ରଦେଶ ଉପରେ ସକ୍ରିୟ ରହିଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୪.୫ କିମି ଉଚ୍ଚତା ଯାଏ ବିସ୍ତାରିତ ହୋଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଶନିବାର ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଝଡ଼ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହି ସମୟରେ ପବନର ବେଗ ୫୦ କିମି ପର୍ଯ୍ୟନ୍ତ ରହିପାରେ।
ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଝଡ଼ବର୍ଷା ସହ ୫୦ କିମି ବେଗରେ ପବନ ବହିବା ଆଶଙ୍କାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।



