ବାତ୍ୟା-ବନ୍ୟା ସତ୍ତ୍ୱେ ହେବ OCS ମେନ୍ ପରୀକ୍ଷା, ପରୀକ୍ଷାର୍ଥୀଙ୍କ ଯାତାୟାତ ଦାୟିତ୍ୱ ନେବେ ସରକାର

ରାଜ୍ୟରେ ବନ୍ୟା ଓ ବାତ୍ୟା ପରିସ୍ଥିତି ଦେଖାଦେଇଥିଲେ ମଧ୍ୟ ଓଡ଼ିଶା ସିଭିଲ୍ ସର୍ଭିସ୍ (OCS) ମେନ୍ ପରୀକ୍ଷା ସ୍ଥଗିତ ହେବ ନାହିଁ। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ପରୀକ୍ଷା ହେବ ବୋଲି ସ୍ପଷ୍ଟ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।
ମନ୍ତ୍ରୀ କହିଛନ୍ତି, ପରୀକ୍ଷା ପୁଣି ଘୁଞ୍ଚାଇଲେ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ପ୍ରାୟ ୬ ମାସ ପଛକୁ ଚାଲିଯିବ। ତେଣୁ ପରୀକ୍ଷା ନିର୍ଦ୍ଧାରିତ ସମୟରେ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀମାନେ ଯେପରି ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ, ସେଥିପାଇଁ ସରକାର ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରିବେ। ଏହି ଦାୟିତ୍ୱ ବିଡିଓମାନଙ୍କୁ ଦିଆଯାଇଛି।
ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ପ୍ରାୟ ୩୨୫ ଜଣ ଏବଂ ଅନ୍ୟ ପ୍ରଭାବିତ ଅଞ୍ଚଳର ପ୍ରାୟ ୧୦୦ ଜଣ ପରୀକ୍ଷାର୍ଥୀଙ୍କୁ ଏହି ସହାୟତା ମିଳିବ। ପୂର୍ବରୁ ବାତ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ପରିବର୍ତ୍ତିତ ସୂଚୀ ଅନୁଯାୟୀ ଅକ୍ଟୋବର ୩୧ରୁ ନଭେମ୍ବର ୭ ପର୍ଯ୍ୟନ୍ତ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ।
ଅନ୍ୟପକ୍ଷରେ କୋରାପୁଟ, ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାର କେତେକ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ବ୍ୟାହତ ହୋଇଛି। ବାତ୍ୟା ପ୍ରଭାବରେ ପ୍ରାୟ ୫୬ଟି ଟ୍ରେନ୍ ବାତିଲ ହୋଇଥିବା ବେଳେ ସରକାରୀ ଓ ଘରୋଇ ପରିବହନ ସେବା ମଧ୍ୟ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ପରୀକ୍ଷାର୍ଥୀମାନେ ଠିକ୍ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି।



