
ଉତ୍ତର ପ୍ରଦେଶରେ ସରକାରୀ ଚାକିରି ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି ଯୋଗୀ ସରକାର। ହିଂସାତ୍ମକ ଉପାୟରେ କ୍ଷମତାସୀନ ସରକାର କିମ୍ବା ବ୍ୟବସ୍ଥା ପରିବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଆନ୍ଦୋଳନକାରୀଙ୍କୁ ଆଉ ମିଳିବନି ସରକାରୀ ଚାକିରି। ଏଭଳି କାର୍ଯ୍ୟରେ ସାମିଲ ସଂଗଠନ ସହ ଜଡ଼ିତ ବ୍ୟକ୍ତିଙ୍କୁ ମଧ୍ୟ ନିଯୁକ୍ତି ପାଇଁ ଅଯୋଗ୍ୟ ବିବେଚନା କରାଯିବ।
ଏଥିପାଇଁ ରାଜ୍ୟ ସରକାର ଚାରିତ୍ରିକ ଯାଞ୍ଚ ନିୟମାବଳୀରେ ସଂଶୋଧନ କରିଛନ୍ତି। ପ୍ରମୁଖ ସଚିବ (ନିଯୁକ୍ତି ଓ କାର୍ମିକ ବିଭାଗ) ଏମ୍. ଦେବରାଜଙ୍କ ଦ୍ୱାରା ଜାରି ନୂଆ ନିୟମ ରାଜ୍ୟର ସମସ୍ତ ସରକାରୀ ବିଭାଗ, ନିଗମ, ବୋର୍ଡ ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାରେ ସିଧାସଳଖ ନିଯୁକ୍ତି କ୍ଷେତ୍ରରେ ଲାଗୁ ହେବ।
ସେହିପରି ହତ୍ୟା, ଦୁଷ୍କର୍ମ, ଦୁର୍ନୀତି, ପରୀକ୍ଷାରେ କପି ଏବଂ ପ୍ରଶ୍ନପତ୍ର ଲିକ୍ ଭଳି ଗମ୍ଭୀର ଅପରାଧରେ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ମଧ୍ୟ ସରକାରୀ ଚାକିରିରୁ ବଞ୍ଚିତ କରାଯିବ।
ତେବେ କେବଳ ରାଜନୈତିକ ଦଳକୁ ସମର୍ଥନ କରିବା କିମ୍ବା କୌଣସି ମାମଲାର ତଦନ୍ତ ଚାଲିଥିବା ଆଧାରରେ ପ୍ରାର୍ଥୀଙ୍କୁ ଅଯୋଗ୍ୟ କରାଯିବ ନାହିଁ। ନିର୍ଦ୍ଦିଷ୍ଟ ସର୍ତ୍ତ ଆଧାରରେ ପ୍ରାଥମିକ ନିଯୁକ୍ତିର ବ୍ୟବସ୍ଥା ମଧ୍ୟ ରହିଛି।
ଏହି ନିଷ୍ପତ୍ତିକୁ ବିଜେପି ସମର୍ଥନ କରିଥିବା ବେଳେ ସମାଜବାଦୀ ପାର୍ଟି ଓ କଂଗ୍ରେସ ଏହାକୁ ଗଣତାନ୍ତ୍ରିକ ପ୍ରତିବାଦର ସ୍ୱର ଚପାଇବାର ପ୍ରୟାସ ବୋଲି ସମାଲୋଚନା କରିଛନ୍ତି।



