ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି, ମୋଦି ସରକାରଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼କୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ। ନଭେମ୍ବର ୧ରୁ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇବା ପରେ ଦଳ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛି।
ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କଂଗ୍ରେସ କହିଛି, ଦୀପାବଳି ପୂର୍ବରୁ ‘ମହଙ୍ଗା ମଣିଷ’ ପୁଣି ଆକ୍ରମଣ କରିଛନ୍ତି। ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ଦାମ ୧୭ ଟଙ୍କା ବଢ଼ିଛି। ଚଳିତ ବର୍ଷର ପ୍ରଥମ ୧୦ ମାସରେ ଏହି ସିଲିଣ୍ଡର ମୂଲ୍ୟ ମୋଟ ୧,୨୮୭ ଟଙ୍କା ବଢ଼ିଥିବା ଦଳ ଦାବି କରିଛି।
କଂଗ୍ରେସର ଦାବି ଅନୁଯାୟୀ, ବର୍ଷ ଆରମ୍ଭରେ ୧,୬୮୪ ଟଙ୍କା ଥିବା ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ଏବେ ୨,୯୭୧ ଟଙ୍କାରେ ପହଞ୍ଚିଛି। ଦଳ ଅଭିଯୋଗ କରିଛି ଯେ, ମୋଦି ସରକାରଙ୍କ ଏକମାତ୍ର ଏଜେଣ୍ଡା ହେଉଛି ଜନତାଙ୍କୁ ଲୁଟିବା।
ଦିଲ୍ଲୀରେ ୧୯ କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୨,୮୧୦ ଟଙ୍କାରୁ ବଢ଼ି ୨,୮୨୦ ଟଙ୍କା ହୋଇଛି। ତେବେ ୧୪.୨ କିଲୋଗ୍ରାମ ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୪୨ ଟଙ୍କାରେ ଅପରିବର୍ତ୍ତିତ ରହିଛି।
ଅନ୍ୟ ସହରଗୁଡ଼ିକରେ ମଧ୍ୟ ବ୍ୟବସାୟିକ ଗ୍ୟାସ ଦର ବଢ଼ିଛି। ବେଙ୍ଗାଲୁରୁରେ ମୂଲ୍ୟ ୧୦ ଟଙ୍କା ବଢ଼ି ୨,୯୦୮ ଟଙ୍କା, ପାଟନାରେ ୩,୧୧୦.୫୦ ଟଙ୍କା ଏବଂ ଲକ୍ଷ୍ନୌରେ ୧୦ ଟଙ୍କା ବଢ଼ି ୨,୯୪୨.୫୦ ଟଙ୍କା ହୋଇଛି।
ବ୍ୟବସାୟିକ ଗ୍ୟାସ ଦର ବୃଦ୍ଧି ହୋଟେଲ, ରେସ୍ତୋରାଁ, ଢାବା ଓ କ୍ୟାଟରିଂ ବ୍ୟବସାୟର ପରିଚାଳନା ଖର୍ଚ୍ଚ ବଢ଼ାଇପାରେ।



