ଭୟଙ୍କର ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୭ ମୃତ, ୧୬ ବର୍ଷୀୟ ନାବାଳକ ଗୁରୁତର

ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ୧୬ ବର୍ଷୀୟ ନାବାଳକ ଗୁରୁତର ଆହତ ହୋଇଛନ୍ତି। ରବିବାର ରାତି ପ୍ରାୟ ୧୧ଟାରେ ହାଟା କୋତୱାଲି ଥାନା ଅଞ୍ଚଳର ହାଟା-ପିପରାଇଚ୍ ରାସ୍ତାରେ ଏକ ଇକୋ ଭ୍ୟାନ୍ ଓ ଟ୍ରେଲର ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ସୂଚନା ଅନୁଯାୟୀ, କପ୍ତାନଗଞ୍ଜ ଥାନା ଅନ୍ତର୍ଗତ ଭାଲୁହି ଗାଁର ଏକ ପରିବାରର ସଦସ୍ୟ ଓ ସମ୍ପର୍କୀୟମାନେ ଏକ ତିଳକ ସମାରୋହରେ ଯୋଗଦେଇ ଇକୋ ଭ୍ୟାନ୍ରେ ଘରକୁ ଫେରୁଥିଲେ। ଏହି ସମୟରେ ସାମ୍ନାପଟୁ ଆସୁଥିବା ଟ୍ରେଲର ଟ୍ରକ୍ ସହ ଭ୍ୟାନ୍ର ଭୟଙ୍କର ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଭ୍ୟାନ୍ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା।
ଦୁର୍ଘଟଣା ପରେ ଯାତ୍ରୀମାନେ ଗାଡ଼ି ଭିତରେ ଫସି ରହିଥିଲେ। ଖବର ପାଇ ସ୍ଥାନୀୟ ଲୋକେ ଓ ପୋଲିସ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିବା ବେଳେ ଗୁରୁତରଙ୍କୁ ଗୋରଖପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।
ପୋଲିସର ସୂଚନା ଅନୁସାରେ, ମୃତକମାନେ ହେଲେ ରାମବିଳାସ (୬୫), ତାଙ୍କ ବଡ଼ ପୁଅ କହ୍ନେୟା ପ୍ରସାଦ (୪୦), ସାନ ପୁଅ ରାମ ମିଲନ (୩୫), ନାତି ଆୟୁଷ (୧୨), ମୃଦୁଲ ମିଶ୍ର (୩୫), ରଞ୍ଜୟ ଗୁପ୍ତା (୩୨) ଓ ମିଥିଲେଶ ଗୁପ୍ତା (୨୨)। ଅନ୍ୟପକ୍ଷରେ ଆର୍ଯ୍ୟନ (୧୬) ଗୁରୁତର ଆହତ ହୋଇ କୁଶୀନଗର ମେଡିକାଲ କଲେଜରେ ଚିକିତ୍ସାଧୀନ ଅଛନ୍ତି।
ହାଟା ଥାନା ଅଧିକାରୀ ଧର୍ମେନ୍ଦ୍ର ସିଂହଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି। ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ଖବରରେ ଭାଲୁହି ଗାଁରେ ଶୋକର ଛାୟା ଖେଳିଯାଇଛି।



