କର୍ମଭୂମି ଏକ୍ସପ୍ରେସ୍ର ୪ଟି ବଗିରେ ନିଆଁ

ଭୁବନେଶ୍ୱର: ପଞ୍ଜାବର ସରାଇ ବଞ୍ଜାରା ରେଳ ଷ୍ଟେସନ ନିକଟରେ ଶୁକ୍ରବାର କର୍ମଭୂମି ଏକ୍ସପ୍ରେସ୍ର ୪ଟି ବଗିରେ ନିଆଁ ଲାଗିଯାଇଛି। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ଆହତ ହୋଇଥିବା ଖବର ମିଳିନାହିଁ।
ଅମୃତସରରୁ ନ୍ୟୁ ଜଲପାଇଗୁଡ଼ି ଯାଉଥିବା ୧୨୫୦୮ ନମ୍ବର ଟ୍ରେନ୍ର ଇଞ୍ଜିନଠାରୁ ପଞ୍ଚମ ବଗିରେ ପ୍ରଥମେ ନିଆଁ ଲାଗିଥିବା ପ୍ରାଥମିକ ସୂଚନା ମିଳିଛି। ପରେ ଏହା ଅନ୍ୟ ବଗିକୁ ବ୍ୟାପିଥିଲା।
ପ୍ରାଥମିକ ଅନୁମାନ ଅନୁଯାୟୀ, ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଘଟଣାସ୍ଥଳର ଦୃଶ୍ୟରେ ଟ୍ରେନ୍ର ଏକାଧିକ ବଗିରୁ ନିଆଁ ଓ ଘନ ଧୂଆଁ ବାହାରୁଥିବା ଦେଖାଯାଇଛି। ଖବର ପାଇ ରେଳବାଇ ଅଧିକାରୀ ଓ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିଲେ।
ସରାଇ ବଞ୍ଜାରା ନିକଟ ବସନ୍ତପୁରା ରେଳ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଥିବା କୁହାଯାଉଛି। ରାଜପୁରାଠାରୁ ଏହି ସ୍ଥାନ ପ୍ରାୟ ୧୫ କିଲୋମିଟର ଦୂର। ଘଟଣା ସମ୍ପର୍କରେ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।



