Breaking PLUSଦେଶମୁଖ୍ୟ ଖବର

ଛଟ୍ ପୂଜା ପାଇଁ ରେଳଷ୍ଟେସନରେ ପ୍ରବଳ ଭିଡ଼

ଭିଡ଼ ନିୟନ୍ତ୍ରଣକୁ ରେଳବାଇର ସ୍ୱତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ: ଛଟ୍ ପୂଜା ପୂର୍ବରୁ ଘରମୁହାଁ ହୋଇଛନ୍ତି ଲକ୍ଷ ଲକ୍ଷ ଯାତ୍ରୀ। ବିହାର ଓ ଉତ୍ତରପ୍ରଦେଶକୁ ଯାଉଥିବା ଯାତ୍ରୀଙ୍କ ଭିଡ଼ ଯୋଗୁଁ ଦିଲ୍ଲୀ, ମୁମ୍ବାଇ, ବାରାଣସୀ, ହାୱଡ଼ା ଓ ଲକ୍ଷ୍ନୌ ସମେତ ବିଭିନ୍ନ ପ୍ରମୁଖ ରେଳଷ୍ଟେସନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଯାତ୍ରା ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି।

ଦିଲ୍ଲୀର ଆନନ୍ଦ ବିହାର ଓ ନୂଆଦିଲ୍ଲୀ ରେଳଷ୍ଟେସନରେ ସବୁଠାରୁ ଅଧିକ ଭିଡ଼ ହେଉଛି। ଅନେକ ଯାତ୍ରୀ ପରିବାର ସହ ଜିନିଷପତ୍ର ଧରି ଟ୍ରେନ୍‌କୁ ଅପେକ୍ଷା କରି ରହିଛନ୍ତି। ତେବେ ନୂଆଦିଲ୍ଲୀ ଷ୍ଟେସନରେ ପୃଥକ ଯାତ୍ରୀ ପ୍ରତୀକ୍ଷାସ୍ଥଳ ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ଯୋଗୁଁ ପୂର୍ବବର୍ଷ ତୁଳନାରେ ସ୍ଥିତିରେ ସୁଧାର ଆସିଥିବା କିଛି ଯାତ୍ରୀ କହିଛନ୍ତି।

ଉତ୍ତର ରେଳପଥ ପକ୍ଷରୁ ଦିଲ୍ଲୀ ଅଞ୍ଚଳର ପ୍ରମୁଖ ଷ୍ଟେସନରୁ ୩୧ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ଘୋଷଣା କରାଯାଇଛି। ଅଧିକ ଯାତ୍ରୀଙ୍କ ଚାହିଦାକୁ ଦେଖି ବିଭିନ୍ନ ରୁଟ୍‌ରେ ଅତିରିକ୍ତ ସଂରକ୍ଷିତ ଓ ଅଣସଂରକ୍ଷିତ ଟ୍ରେନ୍‌ ମଧ୍ୟ ଚଳାଯାଉଛି।

ମୁମ୍ବାଇର ପ୍ରମୁଖ ଷ୍ଟେସନଗୁଡ଼ିକରେ ଭିଡ଼ ଏଡ଼ାଇବାକୁ କେନ୍ଦ୍ରୀୟ ରେଳପଥ ପ୍ଲାଟଫର୍ମ ଟିକେଟ୍‌ ବିକ୍ରି ବନ୍ଦ କରିଛି। ସ୍ଥାନ ଅନୁଯାୟୀ ନଭେମ୍ବର ୫ରୁ ୧୫ ମଧ୍ୟରେ ଏହି କଟକଣା ଲାଗୁ ହୋଇଛି। ଏଥିସହ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ଓ ଲୋକମାନ୍ୟ ତିଳକ ଟର୍ମିନସ୍‌ ସମେତ କେତେକ ଷ୍ଟେସନରେ ୮ରୁ ୧୦ ଦିନ ପାଇଁ ପାର୍ସଲ ପରିବହନ ବନ୍ଦ ରଖାଯାଇଛି।

ବାରାଣସୀ ଜଙ୍କସନରେ ସ୍ୱତନ୍ତ୍ର ହୋଲ୍ଡିଂ ଏରିଆ ଓ ସହାୟତା କେନ୍ଦ୍ର ଖୋଲାଯାଇଛି। ହାୱଡ଼ା ଷ୍ଟେସନରେ ରେଳ ସୁରକ୍ଷା ବଳ (ଆରପିଏଫ୍‌)ର କର୍ମଚାରୀମାନେ ସ୍ୱତନ୍ତ୍ର କଣ୍ଟ୍ରୋଲ୍‌ ରୁମ୍‌ ଜରିଆରେ ଯାତ୍ରୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ଏଠାରେ ଚଟାଣରେ କାର୍ପେଟ୍‌ ବିଛାଯାଇଥିବା ପ୍ରତୀକ୍ଷାସ୍ଥଳ ସହ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲ୍‌ ବୁଥ୍‌ ମଧ୍ୟ ଖୋଲାଯାଇଛି।

ଅନ୍ୟପକ୍ଷରେ ଷ୍ଟେସନଗୁଡ଼ିକରେ ଏଆଇ ଆଧାରିତ ସିସିଟିଭି ନିରୀକ୍ଷଣ, ଅତିରିକ୍ତ ସୁରକ୍ଷା କର୍ମୀ ମୁତୟନ ଓ ନିୟନ୍ତ୍ରଣ କକ୍ଷ ଜରିଆରେ ଭିଡ଼ ଉପରେ ନଜର ରଖାଯାଉଛି। ମୁଜାଫରପୁର-ହାୱଡ଼ା ଓ ଜୟନଗର-ଶିଆଲଦା ମଧ୍ୟରେ ଅଣସଂରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରୁଛି। ମୁମ୍ବାଇରୁ ଗୋରଖପୁର ଏବଂ ପାଟନା ଅଭିମୁଖେ ମଧ୍ୟ ଅତିରିକ୍ତ ଟ୍ରେନ୍‌ ବ୍ୟବସ୍ଥା କରାଯାଇଛି।

ଛଟ୍‌ ପୂଜା ପାଇଁ ଘରକୁ ଫେରୁଥିବା ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ରେଳବାଇ ପକ୍ଷରୁ ଏହି ସବୁ ପଦକ୍ଷେପ ନିଆଯାଇଛି। ଟ୍ରେନ୍‌ ଚଳାଚଳ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଗୁଜବ କିମ୍ବା ସୋସିଆଲ ମିଡିଆର ଅପପ୍ରଚାର ଉପରେ ବିଶ୍ୱାସ ନକରି କେବଳ ରେଳବାଇର ଅଧିକାରିକ ସୂଚନା ଉପରେ ନିର୍ଭର କରିବାକୁ ଯାତ୍ରୀଙ୍କୁ ଅନୁରୋଧ କରାଯାଇଛି।

Show More

Related Articles

Back to top button