Breaking PLUSଓଡ଼ିଶାଭକ୍ତିମୁଖ୍ୟ ଖବର

ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ହେବ ସଂଶୋଧନ,

ପରୀକ୍ଷାମୂଳକ ଭାବେ ଲାଗୁ ହେବ ଯୋଜନା

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତାବିତ ଧାଡ଼ି ବ୍ୟବସ୍ଥାରେ ଆହୁରି ସଂଶୋଧନ କରାଯିବ। ସେବାୟତ ଓ ବୈଷୟିକ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ରାମ୍ପ୍‌ ସହ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ହେବ ବୋଲି ବୁଧବାର କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ।

ଏନେଇ ସେ କହିଛନ୍ତି, ପ୍ରସ୍ତାବିତ ବ୍ୟବସ୍ଥାକୁ ଚୂଡ଼ାନ୍ତ କରିବା ପୂର୍ବରୁ ସେବାୟତ, ଛତିଶା ନିଯୋଗ ସଦସ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଓ ବୈଷୟିକ ବିଶେଷଜ୍ଞଙ୍କ ସହ ଏକାଧିକ ପର୍ଯ୍ୟାୟରେ ଆଲୋଚନା ହୋଇଛି। ପ୍ରାରମ୍ଭିକ ନକ୍ସା ଓ ନମୁନା ମଡେଲ୍‌ ଯାଞ୍ଚ ପରେ ବିଭିନ୍ନ ପରିବର୍ତ୍ତନ ପାଇଁ ପରାମର୍ଶ ମିଳିଛି।

ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ଓଡ଼ିଶା ବ୍ରିଜ୍‌ ଆଣ୍ଡ କନଷ୍ଟ୍ରକ୍ସନ୍‌ କର୍ପୋରେସନ୍‌ (ଓବିସିସି) ଜରିଆରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯାଉଛି। ଏଥିରେ ଆଇଆଇଟି ଭୁବନେଶ୍ୱରର ବୈଷୟିକ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ନିଆଯାଇଛି।

ଶ୍ରୀମନ୍ଦିରର ଦୈନନ୍ଦିନ ନୀତିକାନ୍ତି ଓ ପରମ୍ପରା ଯେପରି ପ୍ରଭାବିତ ନହୁଏ, ତାହାକୁ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ଭୋଗମଣ୍ଡପରେ ସେବାୟତଙ୍କ ନୀତି ସମେତ ଅନ୍ୟ ଧାର୍ମିକ କାର୍ଯ୍ୟରେ ଯେପରି ବାଧା ସୃଷ୍ଟି ନହୁଏ, ସେଥିପ୍ରତି ଧ୍ୟାନ ରଖାଯିବ।

ପ୍ରଥମେ ନୂଆ ଯୋଜନାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ। ଏହି ସମୟରେ ଦର୍ଶନକାରୀଙ୍କ ସମସ୍ୟା ଓ ପରିଚାଳନାଗତ ତ୍ରୁଟି ଚିହ୍ନଟ କରି ଆବଶ୍ୟକ ସମାଧାନ କରାଯିବ। ବ୍ୟବସ୍ଥା ସୁଚାରୁ ଭାବେ କାର୍ଯ୍ୟ କରୁଥିବା ନିଶ୍ଚିତ ହେବା ପରେ ଏହାକୁ ପୂର୍ଣ୍ଣାଙ୍ଗ ଭାବେ ଲାଗୁ କରାଯିବ।

Show More

Related Articles

Back to top button