
ରାଞ୍ଚି: ଝାଡ଼ଖଣ୍ଡର କଂଗ୍ରେସ ବିଧାୟକ ଭୂଷଣ ବାରାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ। ଜଣେ ୧୪ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ, ଶାରୀରିକ ନିର୍ଯାତନା ଓ ହତ୍ୟା ଧମକ ଦେଇଥିବା ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରାଞ୍ଚିସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରେ ଏଭଳି ଘଟଣା ଘଟିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ନାବାଳିକାଙ୍କ ଘର ସିମଡେଗା ଜିଲ୍ଲାରେ। ଗତ ମେ’ ମାସରେ ସ୍କୁଲରେ ନାମ ଲେଖାଇବାର ପ୍ରତିଶ୍ରୁତି ଦେଇ ବିଧାୟକଙ୍କ ପରିବାର ଲୋକେ ତାଙ୍କୁ ରାଞ୍ଚି ଆଣିଥିଲେ। କିନ୍ତୁ ପାଠ ପଢ଼ାଇବା ବଦଳରେ ତାଙ୍କୁ ବାସଭବନରେ ଘରୋଇ କାମରେ ନିୟୋଜିତ କରାଯାଇଥିଲା। ଅଗଷ୍ଟ ୫ ତାରିଖରେ ବିଧାୟକ ତାଙ୍କ ସହ ଦୁଷ୍କର୍ମ କରିଥିବା ଏବଂ ଏହାପରେ ସେ ଗର୍ଭବତୀ ହୋଇ ଗର୍ଭପାତର ଶିକାର ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ବିରୋଧ କରିବାରୁ ତାଙ୍କୁ ମାଡ଼ ମରାଯିବା ସହ ହତ୍ୟା ଧମକ ମଧ୍ୟ ଦିଆଯାଇଥିବା ସେ କହିଛନ୍ତି।
ଏନେଇ ଧୁର୍ୱା ଥାନାରେ ପୋକ୍ସୋ ଆଇନ ଓ ଜୁଭେନାଇଲ୍ ଜଷ୍ଟିସ୍ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯିବା ସହ ବୟାନ ରେକର୍ଡ କରାଯିବ ବୋଲି ହାଟିଆ ଡିଏସ୍ପି ନୀରଜ କୁମାର ସୂଚନା ଦେଇଛନ୍ତି।
ଅନ୍ୟପଟେ ବିଧାୟକ ଭୂଷଣ ବାରା ଅଭିଯୋଗକୁ ମିଥ୍ୟା ଓ ଷଡ଼ଯନ୍ତ୍ର ବୋଲି କହି ଖଣ୍ଡନ କରିଛନ୍ତି। ତାଙ୍କୁ ବଦନାମ କରିବାକୁ କିଛି ଲୋକ ଏଭଳି ମାମଲା ରଚିଥିବା ସେ ଦାବି କରିଛନ୍ତି।
ଘଟଣାକୁ ନେଇ ଝାଡ଼ଖଣ୍ଡରେ ରାଜନୈତିକ ଉତ୍ତେଜନା ବଢ଼ିଛି। ବିଜେପି ବିଧାୟକଙ୍କ ତୁରନ୍ତ ଗିରଫ ସହ ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଦାବି କରିଛି। ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଦଳ ଚେତାବନୀ ଦେଇଛି।



