୫୦ ହଜାର ଛାତ୍ରଛାତ୍ରୀଙ୍କୁ ମାଗଣା ଟାବ୍ଲେଟ୍ ପ୍ରଦାନ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋରଖପୁର ମଣ୍ଡଳର ୫୦ ହଜାର ଛାତ୍ରଛାତ୍ରୀଙ୍କୁ ଟାବ୍ଲେଟ୍ ବଣ୍ଟନ କରିଛନ୍ତି। ସ୍ୱାମୀ ବିବେକାନନ୍ଦ ଯୁବ ସଶକ୍ତୀକରଣ ଯୋଜନାରେ ଏହି ଟାବ୍ଲେଟ୍ ବଣ୍ଟନ କରାଯାଇଛି। ଏଥିରେ ଗୋରଖପୁର ଜିଲାର ୩୫ ହଜାର ଏବଂ ଦେଓରିଆ, କୁଶୀନଗର ଓ ମହାରାଜଗଞ୍ଜ ଜିଲାର ୫ ହଜାର ଲେଖାଏଁ ଛାତ୍ରଛାତ୍ରୀ ଟାବ୍ଲେଟ୍ ପାଇଛନ୍ତି।
ଏହି ଅବସରରେ ଯୋଗୀ ପୂର୍ବ ସରକାର ଓ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍ କରିଥିଲେ। ୧୦ ବର୍ଷ ପୂର୍ବେ ଉତ୍ତରପ୍ରଦେଶର ଯୁବପିଢ଼ି ବେକାରି ଓ ପରିଚୟ ସଙ୍କଟର ସମ୍ମୁଖୀନ ହେଉଥିଲେ ବୋଲି ସେ କହିଥିଲେ। ଅନ୍ୟ ରାଜ୍ୟରେ ମଧ୍ୟ ସେମାନଙ୍କୁ ଘର ଭଡ଼ା କିମ୍ବା ରହିବା ପାଇଁ ସ୍ଥାନ ମିଳୁ ନଥିଲା ବୋଲି ଯୋଗୀ ଦାବି କରିଥିଲେ।
ପୂର୍ବ ସରକାରଙ୍କ ଅମଳରେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ ନକଲ ମାଫିଆଙ୍କ ପ୍ରଭାବ ରହିଥିବା ସେ ଅଭିଯୋଗ କରିଥିଲେ। ଏଥିସହ ରାଜ୍ୟରେ ଦଙ୍ଗା, ଅପରାଧ, ଗୁଣ୍ଡାଗର୍ଦ୍ଦି ଓ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ପୂର୍ବ ସରକାରକୁ ସମାଲୋଚନା କରିଥିଲେ।
ଅନ୍ୟପକ୍ଷରେ, ନିଜ ସରକାରଙ୍କ ସାଢ଼େ ୯ ବର୍ଷ ଶାସନ କାଳରେ ପ୍ରାୟ ୯.୫ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ମିଳିଥିବା ଯୋଗୀ କହିଥିଲେ। ନିଯୁକ୍ତି କ୍ଷେତ୍ରରେ ଏବେ ଟଙ୍କା କିମ୍ବା ସମ୍ପର୍କ ନୁହେଁ, ଯୋଗ୍ୟତା ଓ ପ୍ରତିଭାକୁ ଗୁରୁତ୍ୱ ଦିଆଯାଉଥିବା ସେ ଦାବି କରିଥିଲେ।



