Breaking PLUSଦେଶମୁଖ୍ୟ ଖବର

ଯୋଗୀଙ୍କ ପ୍ରଶଂସାରେ ଶିବସେନା ସାଂସଦ ସଞ୍ଜୟ ରାଉତ, ଇଣ୍ଡିଆ ମେଣ୍ଟରେ ଚର୍ଚ୍ଚା

ଶିବସେନା (ୟୁବିଟି)ର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ଏକ ବୟାନକୁ ନେଇ ଜାତୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ବିଜେପିର କଡ଼ା ସମାଲୋଚକ ଭାବେ ପରିଚିତ ରାଉତ ଏଥର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା କରିଛନ୍ତି। ଯୋଗୀଙ୍କୁ ଦକ୍ଷ ନେତା ଏବଂ ହିନ୍ଦୁତ୍ୱର ସବୁଠାରୁ ବଡ଼ ଚେହେରା ବୋଲି କହିବା ସହ ତାଙ୍କ ପ୍ରତି ନିଜର ପସନ୍ଦ ମଧ୍ୟ ପ୍ରକାଶ କରିଛନ୍ତି।

ରାଉତଙ୍କ କହିବା ଅନୁଯାୟୀ, ଯୋଗୀ ଯଦି ନିଜକୁ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ଭାବେ ଉପସ୍ଥାପନ କରୁଛନ୍ତି, ତେବେ ଏଥିରେ ଆପତ୍ତିର କିଛି ନାହିଁ। ସେ ଜଣେ କ୍ଷମତାସମ୍ପନ୍ନ ଓ ଦକ୍ଷ ବ୍ୟକ୍ତି। ହିନ୍ଦୁତ୍ୱର ସର୍ବୋଚ୍ଚ ଚେହେରା ଭାବେ ଯୋଗୀଙ୍କୁ ଦେଖାଯାଏ। ଏପରିକି ଯୋଗୀଙ୍କ ବିନା ଉତ୍ତରପ୍ରଦେଶର ରାଜନୀତି ଅଧୁରା ବୋଲି ସେ ମତ ଦେଇଛନ୍ତି। ନିଜ ଦଳରେ ଯୋଗୀଙ୍କ ପ୍ରତି ଦୃଢ଼ ସମର୍ଥନ ଥିବା ନେଇ ମଧ୍ୟ ରାଉତ ଉଲ୍ଲେଖ କରିଛନ୍ତି।

ବିଜେପି ବିରୋଧୀ ଇଣ୍ଡିଆ ମେଣ୍ଟରେ ସାମିଲ ଥିବା ଶିବସେନା (ୟୁବିଟି)ର ଜଣେ ପ୍ରମୁଖ ନେତାଙ୍କଠାରୁ ଏଭଳି ମନ୍ତବ୍ୟ ଆସିବା ରାଜନୈତିକ ମହଲରେ ଆଲୋଚନାର ଖୋରାକ ଯୋଗାଇଛି। ତେବେ ଯୋଗୀଙ୍କ ପ୍ରତି ରାଉତଙ୍କ ପ୍ରଶଂସା ଏହା ପ୍ରଥମ ନୁହେଁ। ୨୦୨୨ରେ ବିଜେପି ଉତ୍ତରପ୍ରଦେଶରେ ବିଜୟୀ ହେବା ପରେ ମଧ୍ୟ ସେ ଯୋଗୀଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ। ଜନସାଧାରଣଙ୍କ ବିଶ୍ୱାସ ଜିତିଥିବା ନେତାଙ୍କୁ ଗଣତନ୍ତ୍ରରେ ସମ୍ମାନ ଦେବା ଉଚିତ ବୋଲି ସେ କହିଥିଲେ। ଯୋଗୀଙ୍କୁ ନିଜର ଭଲ ବନ୍ଧୁ ବୋଲି ମଧ୍ୟ ସେ ଏକଦା କହିଥିଲେ।

ଏପଟେ ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ତତ୍ପରତା ବଢ଼ିଛି। ବିଜେପି କ୍ରମାଗତ ତୃତୀୟ ଥର କ୍ଷମତା ଦଖଲ ଲକ୍ଷ୍ୟରେ ଥିବାବେଳେ ସମାଜବାଦୀ ପାର୍ଟି ମଧ୍ୟ ନିଜର ରଣନୀତିକୁ ଶାଣିତ କରୁଛି। ଏଭଳି ପରିସ୍ଥିତିରେ ରାଉତଙ୍କ ଯୋଗୀ ପ୍ରଶଂସା ଆଗାମୀ ଦିନରେ ରାଜନୈତିକ ବିତର୍କକୁ ଆହୁରି ରୋଚକ କରିବା ସମ୍ଭାବନା ରହିଛି।

Show More

Related Articles

Back to top button