
ପୂର୍ବ ସରକାରଙ୍କ 5T ସ୍କୁଲ ରୂପାନ୍ତରଣ ଯୋଜନାରେ ହୋଇଥିବା ଅର୍ଥ ବିନିଯୋଗର ହିସାବ ଖୋଜିବେ ବର୍ତ୍ତମାନର ସରକାର। କେଉଁ ପାଣ୍ଠିରୁ କେତେ ଅନୁଦାନ ଆସିଥିଲା, କେତେ ଖର୍ଚ୍ଚ ହୋଇଛି ଏବଂ କେତେ ଟଙ୍କା ବଳକା ରହିଛି, ସେସବୁର ଯାଞ୍ଚ କରାଯିବ। ଏପରିକି ଅର୍ଥ ଖର୍ଚ୍ଚରେ କୌଣସି ଅନିୟମିତତା ଧରାପଡ଼ିଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆକ୍ସନ ନିଆଯିବ। ବିଧାନସଭାରେ ଏଭଳି ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଶୀତ ଅଧିବେଶନର ପ୍ରଶ୍ନକାଳରେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। 5T ନାମରେ ସ୍ୱତନ୍ତ୍ର ବିଭାଗ ନଥିବା ସତ୍ତ୍ୱେ ସ୍କୁଲ ରୂପାନ୍ତରଣ ପାଇଁ ହଜାର ହଜାର କୋଟି ଟଙ୍କା କେଉଁ ବିଭାଗ ଅଧୀନରେ ଖର୍ଚ୍ଚ ହୋଇଥିଲା ବୋଲି ସେ ପ୍ରଶ୍ନ କରିଥିଲେ। ସିଏଜି ରିପୋର୍ଟକୁ ଉଦ୍ଧୃତ କରି ସେ କହିଥିଲେ, ୨୦୧୮ରୁ ୨୦୨୩ ମଧ୍ୟରେ ଶିକ୍ଷା କ୍ଷେତ୍ର ପାଇଁ ୯୩,୪୮୩.୧୮ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଥିବା ବେଳେ ମାତ୍ର ୮୧,୫୩୪.୦୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଅବଶିଷ୍ଟ ଅର୍ଥ କାହିଁକି ଖର୍ଚ୍ଚ ହୋଇପାରିଲା ନାହିଁ ଏବଂ ୧୩,୭୮୪ଟି ସ୍କୁଲର ଭିତ୍ତିଭୂମି କାହିଁକି ଅଧୁରା ରହିଲା ବୋଲି ସେ ଜବାବ ମାଗିଥିଲେ।
ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ, 5T ସ୍କୁଲ ରୂପାନ୍ତରଣ ପାଇଁ ସିଏସ୍ଆର୍, ଓଏମ୍ବିଏଡିସି ଏବଂ ମନରେଗା ଭଳି ବିଭିନ୍ନ ଉତ୍ସରୁ ଅର୍ଥ ଯୋଗାଡ଼ କରାଯାଇଥିଲା। ଏହି ଯୋଜନାରେ ୩୮୭ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧,୭୦୬.୩୧ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ ହୋଇଥିବା ତଥ୍ୟ ରହିଛି। ତେବେ ୟୁସି ଦାଖଲ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଏଯାଏଁ ହସ୍ତଗତ ହୋଇନାହିଁ। ତେଣୁ ସମସ୍ତ ଆର୍ଥିକ କାରବାରର ଯାଞ୍ଚ କରାଯିବ। ପୂର୍ବ ସରକାର ସମୟରେ କିଛି ସ୍କୁଲର ଉନ୍ନତୀକରଣ ହୋଇଥିଲେ ମଧ୍ୟ ଆବଶ୍ୟକ ଅର୍ଥ ମିଳିନଥିଲା। ପରବର୍ତ୍ତୀ ସମୟରେ ବର୍ତ୍ତମାନର ସରକାର ସେହି ଅର୍ଥ ପ୍ରଦାନ କରିଥିବା ମନ୍ତ୍ରୀ କହିଛନ୍ତି।
ସେପଟେ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ସରକାରଙ୍କ ସଫଳତାର ହିସାବ ମଧ୍ୟ ଗୃହରେ ରଖାଯାଇଛି। ବିଜେପି ସରକାର ଆସିବା ପରଠାରୁ ୨୮ ହଜାର ୬୯୩ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ସହ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଉଛି। ଆଗକୁ ପ୍ରତିବର୍ଷ ୧୫ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଯୋଜନା ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।



