ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କ ପରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଇଡି ସମନ କରିଛି
ନୂଆଦିଲ୍ଲୀ : ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ଗୁରୁବାର ଆଉ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରିବା ପରେ ଇଡି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ସମନ କରିଛି। କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଅଭିଯୋଗକୁ ନେଇ ସଂସଦରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। କିନ୍ତୁ ସଂସଦ ଅଧିବେଶନରେ ଚାଲିଥିବାବେଳେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଇଡି ପକ୍ଷରୁ ସମନ ପଠାଯାଇଛି। ଏନେଇ ଖଡ୍ଗେ କହିଛନ୍ତି, ମୋତେ ଭୟଭୀତ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି। ଗୃହ ଚାଲୁଥିବାବେଳେ ମୋତେ ଇଡି ସମନ ଜାରି କରିବା କେତେଦୂର ଠିକ। ସୂଚନାଯୋଗ୍ୟ, ବୁଧବାର ଇଡି ପକ୍ଷରୁ ନ୍ୟାଶନାଲ ହେରାଲ୍ଡ ପରିସରରେ ଥିବା ୟଙ୍ଗ ଇଣ୍ଡିଆନ କାର୍ଯ୍ୟାଳୟକୁ ସିଲ କରାଯାଇଥିଲା। ମଲିକାର୍ଜୁନ ଖଡ୍ଗେ ୟଙ୍ଗ ଇଣ୍ଡିଆ କମ୍ପାନୀର ଜଣେ ସ୍ବୀକୃତିପ୍ରାପ୍ତ ପ୍ରତିନିଧି। ସେ ଅଫିସରେ ନ ଥିବା ବେଳେ ତାହାକୁ ସିଲ କରାଯାଇଥିଲା। ଅଫିସରେ ଉପସ୍ଥିତ ରହି ସର୍ଚ୍ଚ ଅପରେସନକୁ ସହଯୋଗ କଲେ ଏହି କଟକଣା ପ୍ରତ୍ୟାହାର କରାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି। ଇଡି ଖଡ୍ଗେଙ୍କୁ ଆଜି ଇଡିରେ ହାଜର ହେବା ପାଇଁ ନୋଟିସ ହୋଇଛି। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖଡ୍ଗେ। ସଂସଦ ଚାଲିଥିବାବେଳେ ଇଡିରେ ହାଜର ହେବା କେମିତି ସମ୍ଭବ ବୋଲି ସେ କହିଛନ୍ତି । ଖଡ୍ଗେ ଆହୁରି ମଧ୍ୟ କହିଛନ୍ତି, ଗତକାଲି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଘର ଆଗରେ ପୋଲିସ ଛାଉଣୀ ରହିଥିଲା। ଗଣତନ୍ତ୍ର ଏହିପରି ବଞ୍ଚିବ କି? ଆମେ ଭୟ କରିବୁ ନାହିଁ, ଆମେ ଯୁଦ୍ଧ କରିବୁ।