
ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଆକ୍ରମଣର ଶିକାର ହୋଇଥିବା ବୁକର୍ ପୁରସ୍କାର ବିଜେତା ତଥା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଲେଖକ ସଲମାନ ରୁଶଦି ତାଙ୍କର ଏକ ଆଖି ହରାଇଛନ୍ତି। ଏଥିସହ ତାଙ୍କ ଗୋଟିଏ ହାତ ମଧ୍ୟ ଅକାମୀ ହୋଇଯାଇଛି। ଏନେଇ ତାଙ୍କ ଏଜେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଚଳିତ ବର୍ଷ ଅଗଷ୍ଟ ମାସରେ ଆମେରିକାର ନ୍ୟୁୟର୍କ ସହରରେ ଏକ ସାହିତ୍ୟ କାର୍ଯ୍ୟକ୍ରମ ବେଳେ ରୁଶଦିଙ୍କ ଉପରେ ହିଂସକ ଆକ୍ରମଣ ହୋଇଥିଲା। ଜଣେ ଦୁର୍ବୃତ୍ତ ତାଙ୍କ ଉପରେ ଛୁରାମାଡ କରିଥିଲା। ଏକ ସାକ୍ଷାତକାର୍ରେ ସଲମାନଙ୍କ ପ୍ରତିନିଧି ଆଣ୍ଡ୍ରିୁ ୱାଇଲି ସଲମାନଙ୍କ ବର୍ତ୍ତମାନର ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆକ୍ରମଣ ପରେ ସଲମାନଙ୍କୁ ଗଭୀର ଆଘାତ ଲାଗିଥିଲା। ତାଙ୍କ ଘା’ ଖୁବ୍ ଗଭୀର ହୋଇଥିବା ବେଳେ ସେ ଏକ ଆଖି ହରାଇଛନ୍ତି। ଏଥିସହ ତାଙ୍କ ଗୋଟିଏ ହାତ ମଧ୍ୟ ଅଚଳ ହୋଇଯାଇଛି। ୱାଇଲି ସୂଚନା ଅନୁସାରେ, ସଲମାନଙ୍କ ବେକରେ ୩ଟି ଗମ୍ଭୀର ଆଘାତ ଲାଗିଥିଲା ହାତର ସ୍ନାୟୁ କଟିଯାଇଥିବାରୁ ତାଙ୍କର ଏକ ହାତ ଅକାମୀ ହୋଇଯାଇଛି। ଆକ୍ରମଣ ପରେ ତାଙ୍କ ଛାତି ଓ ଶରୀରରେ ୧୫ ଟି ଆଘାତ ମଧ୍ୟ ହୋଇଥିଲା। ଉଲ୍ଲେଖଯୋଗ୍ୟ, ସଲମାନ ରୁଶଦି ନିଜ ଲେଖା ପାଇଁ ସାରା ବିଶ୍ୱରେ ପରିଚିତ । ତାଙ୍କ ଲେଖା ପାଇଁ ୧୯୮୦ରେ ଇରାନ୍ ତାଙ୍କୁ ଜୀବନରୁ ମାରି ପାଇଁ ଧମକ ଦେଇଥିଲା।