Breaking PLUSଦେଶମୁଖ୍ୟ ଖବର

ଏସ୍‌ଆଇଆର୍‌ ନୋଟିସ୍‌ ମାନେ ଭୋଟର ନାଁ କଟିବା ନୁହେଁ

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ସ୍ୱତନ୍ତ୍ର ତୀବ୍ର ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ମଙ୍ଗଳବାର ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ଅଶୋକ କୁମାର ସ୍ପଷ୍ଟ କରିଛନ୍ତି ଯେ, ଭୋଟରଙ୍କୁ ନୋଟିସ୍‌ ଜାରି ହେବାର ଅର୍ଥ ତାଙ୍କ ନାଁ ଭୋଟର ତାଲିକାରୁ କଟିଯିବା ନୁହେଁ। ନୋଟିସ୍‌ ପାଇଥିବା ଭୋଟରଙ୍କୁ ନିଜ ପକ୍ଷ ରଖିବା ଓ ଆବଶ୍ୟକ ଦସ୍ତାବିଜ ଦାଖଲ ପାଇଁ ପୂର୍ଣ୍ଣ ସୁଯୋଗ ଦିଆଯିବ।

ଡ୍ରାଫ୍ଟ ଭୋଟର ତାଲିକାରେ ନାଁ ନଥିବା ଯୋଗ୍ୟ ଭୋଟରମାନେ ସେପ୍ଟେମ୍ବର ୩୦ ସୁଦ୍ଧା ଆବଶ୍ୟକ ଦସ୍ତାବିଜ ସହ ଫର୍ମ-୬ ଦାଖଲ କରିପାରିବେ। ଭୋଟର ପଞ୍ଜୀକରଣ ବଢ଼ାଇବା ପାଇଁ ସେପ୍ଟେମ୍ବର ୨୭ରେ ସମସ୍ତ ମତଦାନ କେନ୍ଦ୍ରରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯିବ।

ସିଇଓଙ୍କ ଅନୁସାରେ, ଏସ୍‌ଆଇଆର୍‌ ନୋଟିସ୍‌ ସମ୍ପର୍କିତ ସମସ୍ତ ମାମଲା ଅକ୍ଟୋବର ୨୯ ସୁଦ୍ଧା ନିଷ୍ପତ୍ତି ହେବ ଏବଂ ନଭେମ୍ବର ୪ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଶୁଣାଣିର ସୁଯୋଗ ନଦେଇ କୌଣସି ଭୋଟରଙ୍କ ନାଁ କଟାଯିବ ନାହିଁ ବୋଲି ସେ କହିଛନ୍ତି।

ସେହିପରି ଜଣେ ବ୍ୟକ୍ତିଙ୍କ ନାଁ ଏକାଧିକ ନିର୍ବାଚନମଣ୍ଡଳୀ କିମ୍ବା ଗୋଟିଏ ନିର୍ବାଚନମଣ୍ଡଳୀରେ ଏକାଧିକ ଥର ରହିବା ଆଇନତଃ ଦଣ୍ଡନୀୟ। ଏଭଳି ଏକାଧିକ ପଞ୍ଜୀକରଣ ହଟାଇବା ପାଇଁ ଫର୍ମ-୭ ଦାଖଲ କରିବାକୁ କୁହାଯାଇଛି। କେବଳ ଭୋଟର ପରିଚୟପତ୍ର ଥିଲେ ଭୋଟ ଦେବାର ଅଧିକାର ମିଳେ ନାହିଁ; ଭୋଟର ତାଲିକାରେ ନାଁ ଥିବା ଆବଶ୍ୟକ ବୋଲି ସିଇଓ ସ୍ପଷ୍ଟ କରିଛନ୍ତି।

Show More

Related Articles

Back to top button