୧୨ ରାଜ୍ୟସଭା ଆସନ ପାଇଁ ଅକ୍ଟୋବର ୧୬ରେ ଭୋଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ୧୨ଟି ରାଜ୍ୟସଭା ଆସନ ପାଇଁ ଅକ୍ଟୋବର ୧୬ରେ ମତଦାନ ହେବ। ନିର୍ବାଚନ କମିଶନ ମଙ୍ଗଳବାର ଏନେଇ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଉତ୍ତର ପ୍ରଦେଶର ୧୦ଟି ଓ ଉତ୍ତରାଖଣ୍ଡର ଗୋଟିଏ ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ହେବ। ସେହିପରି ପଶ୍ଚିମବଙ୍ଗର ଗୋଟିଏ ଖାଲି ଆସନ ପାଇଁ ଉପନିର୍ବାଚନ ହେବ।
ଉତ୍ତର ପ୍ରଦେଶର ଅବସରପ୍ରାପ୍ତ ହେବାକୁ ଥିବା ସାଂସଦଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ବିଏଲ୍ ବର୍ମା, ଦିନେଶ ଶର୍ମା ଓ ରାମଗୋପାଳ ଯାଦବ ରହିଛନ୍ତି। ଉତ୍ତରାଖଣ୍ଡର ନରେଶ ବଂଶଲଙ୍କ କାର୍ଯ୍ୟକାଳ ନଭେମ୍ବର ୨୫ରେ ଶେଷ ହେବ। ପଶ୍ଚିମବଙ୍ଗରେ ରୁକ୍ମିଣୀ ମଲ୍ଲିକଙ୍କ ଇସ୍ତଫା ପରେ ଖାଲି ହୋଇଥିବା ଆସନରେ ଉପନିର୍ବାଚନ ହେବ।
ସେପ୍ଟେମ୍ବର ୨୯ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୬ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ୭ରେ ଯାଞ୍ଚ ଏବଂ ୯ରେ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବ। ଅକ୍ଟୋବର ୧୬ରେ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏ ଭୋଟ ଗ୍ରହଣ ହେବ ଏବଂ ସେହିଦିନ ଭୋଟ ଗଣତି କରାଯିବ।
ଏହାସହ ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶ ବିଧାନ ପରିଷଦର ୨୮ଟି ଆସନ ପାଇଁ ମଧ୍ୟ ନିର୍ବାଚନ ଘୋଷଣା ହୋଇଛି। ଏହି ଆସନଗୁଡ଼ିକ ପାଇଁ ଅକ୍ଟୋବର ୨୩ରେ ମତଦାନ ଏବଂ ୨୭ରେ ଭୋଟ ଗଣତି ହେବ।



