
ହାଇଦ୍ରାବାଦ: କଂଗ୍ରେସକୁ ଆଉ ଏକ ଝଟକା । ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସର ହାତ ଛାଡିଲେ ଆଉ ଜଣେ ନେତା। ତେଲେଙ୍ଗାନାର କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏମ୍ଏ ଖାନ୍ ଇସ୍ତଫା ଦେଇଛନ୍ତି। ତେବେ ଦଳ ଛାଡିବା ପୂର୍ବରୁ ସେ ମଧ୍ୟ ଆଜାଦଙ୍କ ଭଳି ରାହୁଲ ଗାନ୍ଧିଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ରରେ ଆଜାଦ ରାହୁଲ ଗାନ୍ଧିଙ୍କୁ ଜଣେ ‘ନନ୍ ସିରିୟସ୍’ ନେତା ବୋଲି କହିଥିଲେ। ଏବେ ଏମଏ ଖାନ ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ରାହୁଲ ଗାନ୍ଧି ଦଳର ଉପ-ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ହିଁ କଂଗ୍ରେସର କ୍ଷତିଗ୍ରସ୍ତ ହୋଇଛି। ସେମାନଙ୍କର ଚିନ୍ତାଧାରା ଭିନ୍ନ, ବ୍ଲକ ସ୍ତରଠାରୁ ବୁଥ ସ୍ତର ପର୍ଯ୍ୟନ୍ତ କୌଣସି କାର୍ଯ୍ୟକର୍ତ୍ତାଙ୍କ ସହ ତାଙ୍କର ତାଳ ମେଳ ଖାଉ ନାହିଁ।’ ସେ ଆହୁରି କହିଛନ୍ତି, ‘ଦଳର ସମସ୍ତ ବଡ ବଡ ନେତା, ଯେଉଁମାନେ ବର୍ଷ ବର୍ଷ ଧରି ଦଳକୁ ମଜଭୁତ କରିଥିଲେ, ସେମାନେ ଏବେ ଦଳ ଛାଡୁଛନ୍ତି। ବରିଷ୍ଠ ସଦସ୍ୟଙ୍କ ସହ କିଭଳି ବ୍ୟବହାର କରିବା ଉଚିତ ତାହା ରାହୁଲ ଗାନ୍ଧିଙ୍କୁ ଜଣା ନାହିଁ । ତେଣୁ ପରିସ୍ଥିତିକୁ ଦେଖି ଦଳରୁ ଇସ୍ତଫା ଛଡା ମୋ ପାଖରେ ଆଉ କୌଣସି ବିକଳ୍ପ ନାହିଁ।’ କଂଗ୍ରେସ ନେତୃତ୍ୱଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଏମଏ ଖାନ କହିଛନ୍ତି ଯେ ‘G23 ର ବରିଷ୍ଠ ନେତାମାନେ କଂଗ୍ରେସର କଲ୍ୟାଣ ତଥା ଭଲ ଚିନ୍ତା କରି ସ୍ୱର ଉତ୍ତୋଳନ କରିଥିଲେ। କିନ୍ତୁ ଦଳର ନେତୃତ୍ୱ ତାଙ୍କ ପଦକ୍ଷେପକୁ ପ୍ରତ୍ୟାଖ୍ୟାନ କରି ତାଙ୍କ ମତକୁ ଅଣଦେଖା କରିଥିଲେ। ଯଦି ଦଳ ସେହି ନେତାମାନଙ୍କ ଉପରେ (G23 ର ନେତା) ବିଶ୍ୱାସ ପ୍ରଦର୍ଶନ କରିଥାନ୍ତେ ଏବଂ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇଥାନ୍ତେ ଓ ଦଳ ପାଇଁ ସେମାନଙ୍କର ଚିନ୍ତା ବୁଢିଥାନ୍ତା, ବୋଧହୁଏ ଆଜି ଏ ପରିସ୍ଥିତି ଦେଖିବାକୁ ମିଳି ନ ଥାନ୍ତା। ଲଗାତାର ନେତାଙ୍କ ଇସ୍ତଫା ପରେ ଏବେ ଦେଶର ସର୍ବ ପୁରାତନ ଦଳର ସମସ୍ୟା ବଢ଼ିବାରେ ଲାଗିଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ବଡ ଲଢ଼େଇ ପୂର୍ବରୁ ଗୁଜୁରାଟ, ହିମାଚଳ ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବାର ଅଛି।