ନୂଆଦିଲ୍ଲୀ: ପୁଣି କଂଗ୍ରେସକୁ ବଡ ଝଟକା। ଥମୁନି କଂଗ୍ରେସର ଅଡୁଆ। ଜଣକ ପରେ ଜଣେ ନେତା ଦେଇଚାଲିଛନ୍ତି ଇସ୍ତଫା। ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସକୁ ଲାଗିବାକୁ ଯାଉଛି ଆଉ ଏକ ବଡ଼ ଝଟ୍କା। ଏକାଥରକେ କଂଗ୍ରେସର ହାତ ଛାଡିବାକୁ ଯାଉଛନ୍ତି ୫୧ ନେତା। ଜମ୍ମୁକଶ୍ମୀରରେ ଦଳର ପାଖାପାଖି ୫୧ ନେତା ଇସ୍ତଫା ଦେବାକୁ ଯାଉଛନ୍ତି। ଜମ୍ମୁକଶ୍ମୀରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତାରା ଚନ୍ଦ, ପୂର୍ବତନ ମନ୍ତ୍ରୀ ମାଜିଦ ୱାନି, ମନୋହର ଲାଲ ଶର୍ମା, ଜମ୍ମୁକଶ୍ମୀର କଂଗ୍ରେସ ସଚିବ ନରିନ୍ଦ୍ରର ଶର୍ମାଙ୍କ ସମେତ ୫୧ ଜଣ ବଡ ବଡ ନେତା ଖୁବଶୀଘ୍ର କଂଗ୍ରେସରୁ ଇସ୍ତଫା ଘୋଷଣା କରିପାରନ୍ତି ବୋଲି ସୂଚନାମିଳୁଚି। ଇସ୍ତଫା ପରେ ସମସ୍ତ ନେତା ଗୁଲାମ ନବୀ ଆଜଦଙ୍କ ନେତୃତ୍ୱରେ ଗଠନ ହେବାକୁ ଯାଉଥିବା ନୂଆ ଦଳରେ ଯୋଗ ଦେବେ ବୋଲି ସୂଚନାମିଳିଛି। ଏହା ପୂର୍ବରୁ ଜମ୍ମୁ କଶ୍ମୀର ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ଗୁଲାମ ହାଏଦର ମଲ୍ଲିକ ଏବଂ ୧୨ ଜଣ ଦଳର ବରିଷ୍ଠ କର୍ମୀ ମଧ୍ୟ କଂଗ୍ରେସ ଛାଡିବାକୁ ଘୋଷଣା କରିଥିଲେ। ଏସମସ୍ତ ନେତା ଗୁଲାମ ନବୀ ଆଜାଦଙ୍କୁ ସମର୍ଥନ କରୁଛନ୍ତି। ଆଜାଦଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ମନ୍ତ୍ରୀ ଜିଏମ୍ ସରୁରୀ କହିଛନ୍ତି, ‘ ମଲିକ, ଗୁପ୍ତା ଏବଂ ଭାଗତଙ୍କ ତରଫରୁ ଆମକୁ ସମର୍ଥନ ପତ୍ର ମିଳିଛି। ଏହା ବ୍ୟତୀତ ଜମ୍ମୁ କଶ୍ମୀର କଂଗ୍ରେସର ସାଧାରଣ ସମ୍ପାଦକ ମହେଶ୍ୱର ସିଂହ ମାନହସ ମଧ୍ୟ ଆଜାଦଙ୍କ ସମର୍ଥନରେ ଦଳରୁ ଇସ୍ତଫା ଦେଇଛନ୍ତି।