ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ: ଇସ୍ତଫା ଦେଲେ ନୀତିଶ କୁମାର

ବିହାର ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିଷ୍ପତ୍ତି। ସେ ବିଧାନ ପରିଷଦ (ଏମଏଲସି) ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଏହାକୁ ପରିଷଦ ଅଧ୍ୟକ୍ଷ ଅବଧେଶ ନାରାୟଣ ସିଂହଙ୍କୁ ପ୍ରଦାନ କରିଛନ୍ତି। ୨୦୦୬ ଠାରୁ ସଦସ୍ୟ ଥିବା ନୀତିଶଙ୍କ ଏହି ପଦକ୍ଷେପକୁ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନର ସଙ୍କେତ ବୋଲି ଦେଖାଯାଉଛି।
ସୂଚନା ଅନୁଯାୟୀ, ସେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେଇପାରନ୍ତି। ଏହା ପରେ ବିହାରରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ। ଏହି ମଧ୍ୟରେ ଜେଡିୟୁ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଯାଆସୁଛନ୍ତି ଏବଂ ରାଜନୈତିକ ଚର୍ଚ୍ଚା ଜୋରଦାର ହୋଇଛି।
ଏହି ସମୟରେ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ପାଟନାର ବାଙ୍କିପୁର ଆସନରୁ ବିଧାୟକ ଥିଲେ ଏବଂ ସମ୍ପ୍ରତି ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସମ୍ବିଧାନ ଅନୁଯାୟୀ, ରାଜ୍ୟସଭା ସଦସ୍ୟ ହେବା ପରେ ବିଧାୟକ ପଦ ଛାଡିବା ଆବଶ୍ୟକ ଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି।
ଦୁଇ ନେତାଙ୍କ ଏହି ପଦକ୍ଷେପ ବିହାରର ରାଜନୈତିକ ସମୀକରଣକୁ ପ୍ରଭାବିତ କରିବା ସହ ଆଗାମୀ ଦିନରେ ବଡ଼ ପରିବର୍ତ୍ତନ ଆଣିପାରେ।



