ବିଜୟଙ୍କ ଦଳକୁ ନିର୍ବାଚନ ପୂର୍ବରୁ ବଡ଼ ଝଟକା, ପ୍ରାର୍ଥୀପତ୍ର ଖାରଜ

ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଦଳ ଟିଭିକେକୁ (ତମିଳଗା ବେତ୍ରି କଝଗମ୍)କୁ ବଡ଼ ଝଟକା ଲାଗିଛି। ଭୋଟିଂ ପୂର୍ବରୁ ଇଡାପ୍ପାଡି ନିର୍ବାଚନ ମଣ୍ଡଳୀରେ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଛି।
ସୂଚନା ଅନୁଯାୟୀ, ପ୍ରାଥମିକ ପ୍ରାର୍ଥୀଙ୍କ ସହିତ ଦଳ ଏକ ବ୍ୟାକଅପ ପ୍ରାର୍ଥୀକୁ ମଧ୍ୟ ରଖିଥିଲା। କିନ୍ତୁ ଉଭୟଙ୍କର ନାମାଙ୍କନ ପତ୍ର ନିୟମ ଅନୁସାରେ ଠିକ୍ ନଥିବାରୁ ନିର୍ବାଚନ କମିଶନ ସେଗୁଡ଼ିକୁ ଅଗ୍ରାହ୍ୟ କରିଛି।
ନିୟମ ଅନୁଯାୟୀ, ପ୍ରତ୍ୟେକ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରରେ କମ୍ ସେ କମ୍ ୧୦ ଜଣ ପ୍ରସ୍ତାବକଙ୍କ ଦସ୍ତଖତ ଆବଶ୍ୟକ। କିନ୍ତୁ ପ୍ରାଥମିକ ପ୍ରାର୍ଥୀଙ୍କ ନାମାଙ୍କନରେ କେବଳ ୮ ଜଣ ଓ ବ୍ୟାକଅପ ପ୍ରାର୍ଥୀଙ୍କ ନାମାଙ୍କନରେ ୭ ଜଣ ପ୍ରସ୍ତାବକଙ୍କ ଦସ୍ତଖତ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।
ଏହାର ପରିଣାମରେ, ସାଲେମ ଜିଲ୍ଲାର ଏହି ଗୁରୁତ୍ୱପୂର୍ଣ୍ଣ ଆସନରେ ଟିଭିକେ କୌଣସି ପ୍ରାର୍ଥୀ ଦେଇପାରିନାହିଁ। ଏଠାରେ ଏଡ଼ାପପଡୀ କେ ପାଳନୀସ୍ୱାମୀଙ୍କ ବିରୋଧରେ ପ୍ରତିସ୍ପର୍ଧା କରିବାକୁ ବିଜୟଙ୍କ ଦଳ ପ୍ରସ୍ତୁତ ହୋଇଥିଲା।
ଏହି ଘଟଣା ନିର୍ବାଚନ ପୂର୍ବରୁ ଟିଭିକେ ପାଇଁ ବଡ଼ ଚ୍ୟାଲେଞ୍ଜ ହେବା ସହିତ ଦଳର ପ୍ରଥମ ନିର୍ବାଚନୀ ଯାତ୍ରାକୁ ପ୍ରଭାବିତ କରିପାରେ।



