ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ଦ୍ୱପାକ୍ଷିକ ବୈଠକ ଅନୁଷ୍ଠିତ
କରୋନାର ଚ୍ୟାଲେଞ୍ଜ ସତ୍ୱେ ଋଷ ଏବଂ ଭାରତ ସମ୍ପର୍କର ଅଭିବୃଦ୍ଧିରେ କୌଣସି ପରିବର୍ତ୍ତନ ଆସିବ ନାହିଁ- ପ୍ରଧାନମନ୍ତ୍ରୀ

ଦିନିକିଆ ଭାରତ ଗସ୍ତରେ ଆସିଥିବା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ କରିଛନ୍ତି । ପୁଟିନ ବିମାନ ବନ୍ଦରରେ ପହଞ୍ଚିବା ପରେ ଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଥିଲେ । ଉଭୟ ପ୍ରଧାନ ନେତା ମିଡିଆ ସାମ୍ନାରେ ନିଜ ନିଜର ବକ୍ତବ୍ୟ ରଖିଛନ୍ତି ।
ହେଲେ ସବୁଥର ପରି ଏଥର ବି ଭାରତ ଋଷିଆ ମଧ୍ୟରେ ଥିବା ବନ୍ଧୁତ୍ୱ ସମ୍ପର୍କର ଝଲକ ଦେଖିବାକୁ ମିଳିଥିଲା । ଭାରତ ପ୍ରତି ଋଷ ରାଷ୍ଟ୍ରପତି ପୁଟିନଙ୍କ ସଦ୍ଭାବନା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ଭଲପାଇବା ଦେଖାଇଥିଲେ । ଉଭୟ ନେତାଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ବିଗତ ୧୦ ବର୍ଷରେ ସାରା ବିଶ୍ୱରେ ବଡ଼ ବଡ଼ ମୂଳ ପରିବର୍ତ୍ତନ ଘଟିଛି । ଅନେକ ଭୂରାଜନୈତିକ ପରିବର୍ତ୍ତନ ହୋଇଛି । କିନ୍ତୁ ଭାରତ ଓ ଋଷର ବନ୍ଧୁତ୍ୱ ଯେମିତି ଥିଲା ସେମିତି ରହିଛି ।
ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଓ ଋଷ ମଧ୍ୟରେ ଥିବା ସମ୍ପର୍କ ନିଆରା, ଓ ଏହା ଭରସାର ନିଅଁ ଉପରେ ଛିଡ଼ା ହୋଇଛି । କରୋନା ସମୟରେ ବିଶ୍ୱରେ ଅନେକ ଚ୍ୟାଲେଞ୍ଜ ଆସିଥିଲେ ବି ଭାରତ-ଋଷ ମଧ୍ୟରେ ସମ୍ପର୍କ ଯେମିତିକୁ ସେମିତି ରହିଛି । ରଣନୈତିକ କ୍ଷେତ୍ରରେ ଆମର ବନ୍ଧୁତ୍ୱ ଲଗାତର ବଢ଼ିବାରେ ଲାଗିଛି ବୋଲି ମୋଦି କହିଛନ୍ତି ।
ପୁଟିନ୍ ମଧ୍ୟ ଭାରତ ପ୍ରତି ଥିବା ତାଙ୍କ ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ପ୍ରକାଶ କରିଥିଲେ । ଭାରତ ସବୁଠାର ଭରସା ଯୋଗ୍ୟ ବନ୍ଧୁ ବୋଲି ପୁଟିନ କହିଥିଲେ । ସେ କହିଥିଲେ ଯେ ଆମେ ଭାରତକୁ ଏକ ବିଶାଳ ଶକ୍ତି, ବନ୍ଧୁ ରାଷ୍ଟ୍ର ଓ ଭରସାଯୋଗ୍ୟ ସାଥି ରୂପରେ ଦେଖୁ । ଦୁଇ ଦେଶର ବନ୍ଧୁତ୍ୱ ଲଗାତର ମଜଭୁତ ହେବାରେ ଲାଗିଥିବା ବେଳେ ଭବିଷ୍ୟତ ଉପରେ ବି ନଜର ରହିଛି ।
ସେହିପରି ଦୁଇ ରାଷ୍ଟ୍ର ମଧ୍ୟରେ ଚାଲିଥିବା ବ୍ୟବସାୟିକ କାରବାର ସମ୍ପର୍କରେ ପୁଟିନ କହିଛନ୍ତି ଯେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ୩୮ ଅରବ ଡଲାର ବ୍ୟବସାୟ ଚାଲିଛି । ଏହା ବାଦ୍ ପ୍ରତିରକ୍ଷା ଓ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ବଡ଼ ସହଯୋଗୀ ହୋଇ କାମ କରୁଛୁ ବୋଲି ପୁଟିନ କହିଛନ୍ତି । କେବଳ ସେତିକି ନୁହେଁ ଆତଙ୍କବାଦ ବିରୋଧରେ ଋଷିଆ ଭାରତରେ ସହଯୋଗ କରିବ ବୋଲି ମଧ୍ୟ ପୁଟିନ କହିଛନ୍ତି ।
Добро пожаловать, г-н президент!
Welcome to India my friend President Putin. Our meeting today will strengthen our Special and Privileged Strategic Partnership. The initiatives that we take today will further increase the scope of our cooperation to new areas. @KremlinRussia pic.twitter.com/v699GK4BEM
— Narendra Modi (@narendramodi) December 6, 2021