
ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତିରେ ସିବିଆଇ ଆପ୍ର କମ୍ୟୁନିକେସନ ଇନଚାର୍ଜ ତଥା ବ୍ୟବସାୟୀ ବିଜୟ ନାଏରଙ୍କୁ ଗିରଫ କରିଛି। ଏହାକୁ ଆପ୍ ନିନ୍ଦା କରିବା ସହ ସିବିଆଇ ବିରୋଧ ସାଂଘାତିକ ଅଭିଯୋଗ ଆଣିଛି। ବିଜୟଙ୍କ ଉପରେ ଚାପ ପକାଇ ସିବିଆଇ ତଥାକଥିତ ଅବକାରୀ ଦୁର୍ନୀତିରେ ମନୀଷ ସିସୋଦିଆଙ୍କ ନାଁ ନେବାକୁ କହିଥିଲା। ହେଲେ ସେ ମନା କରିବାରୁ ତାଙ୍କୁ ଗିରଫ କରାଯାଇଛି ବୋଲି ଦଳ କହିଛି। ଆପ୍ ପକ୍ଷରୁ ଜାରି ବିବୃତିରେ ଅଭିଯୋଗ କରାଯାଇଛି ଯେ ବିଜେପି ପକ୍ଷରୁ ଦଳ ବିରୋଧରେ ଆରମ୍ଭ ହୋଇଥିବା ଷଡ଼ଯନ୍ତ୍ର ସ୍ୱରୂପ ବିଜୟ ନାଏରଙ୍କୁ ଗିରଫ କରାଯାଇଛି। ଏଥିସହ ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆପ୍ କରୁଥିବା ପ୍ରଚାରରେ ବିଭ୍ରାଟ କରିବା ପାଇଁ ବିଜେପି ଉଦ୍ୟମ କରୁଛି। ବିଜୟ ନାଏର ହେଉଛନ୍ତି ଆପ୍ର କମ୍ୟୁନିକେସନ ଇନଚାର୍ଜ। ପୂର୍ବରୁ ସେ ପଞ୍ଜାବ ନିର୍ବାଚନ ବେଳେ ଯୋଗାଯୋଗ ମାଧ୍ୟମ ସମ୍ପର୍କିତ ରଣନୀତି ପ୍ରସ୍ତୁତ କରିଥିଲେ। ଏବେ ସେ ଗୁଜରାଟ ପାଇଁ କାମ କରୁଛନ୍ତି। ଅବକାରୀ ନୀତି ସହ ତାଙ୍କର କୌଣସି ସମ୍ପର୍କ ନାହିଁ। କିନ୍ତୁ ତାଙ୍କୁ ଅବକାରୀ ନୀତି ମାମଲାରେ ଗିରଫ କରାଯିବା ଆଶ୍ଚର୍ଯ୍ୟଜନକ। ଆମେ ଏପରି ଗିରଫଦାରୀକୁ ବିରୋଧ କରୁଛୁ। ଅସାମ୍ବିଧାନିକ ଓ ବେଆଇନ ଭାବେ ବିଜେପି ନାଏରଙ୍କୁ ଗିରଫ କରିଛି। ବିଜୟ ନାଏର ଓ ଆପ୍ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି ଦଳ କହିଛି। ଆପ୍ ଦାବି କରିଛି ଯେ ସିବିଆଇ ମାସକ ମଧ୍ୟରେ ଦୁଇଥର ବିଜୟ ନାଏରଙ୍କ ଘରେ ରେଡ୍ କରିଥିଲା। କିନ୍ତୁ ସେଠାରୁ କୌଣସି ପ୍ରକାରର ଆପତ୍ତିଜନକ ଜିନିଷ ପାଇ ନଥିଲା। ସେହିପରି ବିଗତ କିଛି ଦିନ ହେଲା ବିଜୟ ନାଏରଙ୍କୁ ଜେରା ପାଇଁ ଡକାଯିବା ସହ ତାଙ୍କ ଉପରେ ମନୀଷ ସିସୋଦିଆଙ୍କ ନାଁ ନେବାକୁ ଚାପ ପକା ଯାଉଥିଲା। ସେ ମନା କରିବାରୁ ତାଙ୍କୁ ମଙ୍ଗଳବାର ଗିରଫ କରାଯାଇଛି।