
ଖୁବଶୀଘ୍ର ମାଲକାନଗିରିରେ ଉଡିବ ବିମାନ । ଏଣିକି ମାଲକାନଗିରିବାସୀ ପାଇବେ ବିମାନ ସେବା। ୨୦୦୬ ମସିହାରୁ ଏହାର ପ୍ରକ୍ରିୟା ଆରମ୍ଭ ହୋଇଥିଲାବେଳେ ଗତ ୧୨ତାରିଖଠାରୁ ଏୟାରଷ୍ଟ୍ରିପ୍ କାମ ଆରମ୍ଭ ହୋଇ ଯାଇଛି । ୯୫ ହେକ୍ଟର ଜମିରେ ଏହାର ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏଥିପାଇଁ ଖର୍ଚ୍ଚ ହେବ ୩୩ କୋଟି ଟଙ୍କା । ୨୦୨୩ ମସିହା ଶେଷସୁଦ୍ଧା ଏହି କାର୍ଯ୍ୟ ସରିବାର ଲକ୍ଷ୍ୟ ରହିଛି ।
ଏହାକୁ ନେଇ ମାଲକାନଗିରିବାସୀ ବେଶ୍ ଖୁସି ଅଛନ୍ତି। ଅନ୍ୟପକ୍ଷେ, ନିର୍ମାଣ ହେବାକୁ ଥିବା ଏୟାରଷ୍ଟ୍ରିପ୍ରେ ଏବେ ବି ଜନବସତି ଥିବାବେଳେ ଲୋକେ ଚାଷବାସ କରି ଚାଲିଛନ୍ତି। ଫଳରେ ଠିକା ସଂସ୍ଥାକୁ କାର୍ଯ୍ୟ କରିବାରେ ଅସୁବିଧା ହେଉଛି। ସେପଟେ ତୁରନ୍ତ ଏନେଇ ସମାଧାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି।
୨୦୦୬ ମସିହାରେ ଏୟାରଷ୍ଟ୍ରିପ୍ ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ଜମି ଅଧିଗ୍ରହଣ ଓ ବିସ୍ଥାପିତଙ୍କୁ ଥଇଥାନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଏୟାରଷ୍ଟ୍ରିପ୍ କାମ ଆରମ୍ଭ ହୋଇପାରୁନଥିଲା। ସଦର ମହକୁମାଠାରୁ ମାତ୍ର ୫ କିଲୋମିଟର ଦୂରରେ ଏୟାରଷ୍ଟ୍ରିପ୍ ନିର୍ମାଣ କାମ ଆରମ୍ଭ ହୋଇଛି। ତାରାତାରିଣୀ ନାମକ କମ୍ପାନୀ ନିର୍ମାଣ କାମ ଆରମ୍ଭ କରିଛି।