ମୁଖ୍ୟ ଖବରରାଜନୀତି

ମେ’ ଦିବସରେ ଶ୍ରମିକଙ୍କ ଦରମା ବଢ଼ାଇଲେ ସିଏମ୍ ମାଝି

ନୂତନ ଯୋଜନା ଆରମ୍ଭ

ଭୁବନେଶ୍ୱର: ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରମିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବିଭିନ୍ନ କଳ୍ୟାଣମୂଳକ ପଦକ୍ଷେପ ଘୋଷଣା କରିଛନ୍ତି।
ଭୁବନେଶ୍ୱରର ଓୟୁଏଟି କୃଷି ଶିକ୍ଷା ସଦନ ରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ଶ୍ରମିକମାନେ ସମାଜର ମୂଳ ନିର୍ମାତା ଏବଂ ରାଜ୍ୟର ଉନ୍ନତିରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଏପ୍ରିଲ ୧ ରୁ ପ୍ରତିଦିନ ୧୦ ଟଙ୍କା ଭେରିଏବଲ ଡିଅରନେସ୍ ଅଲାଉଏନ୍ସ ବୃଦ୍ଧି କରାଯାଇଛି। ଏହା ପରେ ଅଦକ୍ଷ ଶ୍ରମିକଙ୍କ ଦିନକାମ ମଜୁରୀ ୪୭୨ ଟଙ୍କା, ଅର୍ଦ୍ଧଦକ୍ଷ ୫୨୨ ଟଙ୍କା, ଦକ୍ଷ ୫୭୨ ଟଙ୍କା ଓ ଉଚ୍ଚଦକ୍ଷ ୬୨୨ ଟଙ୍କା ହୋଇଛି।
ସେ କହିଥିଲେ ଯେ ୨୦୨୫-୨୬ ମସିହାରେ ୫ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ୱେଲଫେୟାର ବୋର୍ଡରେ ନିବନ୍ଧନ କରାଯାଇଛି ଏବଂ ୫୪୧ କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଛି। ‘ଶ୍ରମିକ ସାଥୀ’ ମୋବାଇଲ ଆପ୍ ମାଧ୍ୟମରେ ସେବାକୁ ସହଜ କରାଯାଉଛି।
ମାଝି କହିଥିଲେ ଯେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମାଧାନ ପାଇଁ ହେଲ୍ପଲାଇନ୍ ବ୍ୟବସ୍ଥା ରହିଛି ଏବଂ ରାଜ୍ୟରେ ଶିଳ୍ପୀକରଣ ମାଧ୍ୟମରେ ରୋଜଗାର ସୃଷ୍ଟି କରାଯାଉଛି। ‘ଡାଲଖାଇ’ ଯୋଜନା ମଧ୍ୟ ଆରମ୍ଭ କରାଯାଇଛି, ଯାହା ମାଧ୍ୟମରେ ବର୍ଷଭରି ରୋଜଗାର ସୁଯୋଗ ମିଳିବ।
ଏହା ସହିତ ୧୩୦ କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ୫୦ଟି ଶ୍ରମ ବିଭାଗ କାର୍ଯ୍ୟାଳୟ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି।
ଏହି ଅବସରରେ ୫ ଜଣ ଶ୍ରମିକ ନେତାଙ୍କୁ ‘ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ’ ଦିଆଯାଇଥିଲା ଏବଂ ୬,୦୦୦ ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା।
ଶ୍ରମମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ମଧ୍ୟ ଶ୍ରମିକମାନଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଭୂମିକାକୁ ସ୍ୱୀକାର କରିଥିଲେ।

Show More

Related Articles

Back to top button