ମୁଖ୍ୟ ଖବରରାଜନୀତି

ଗଙ୍ଗା ଏକ୍ସପ୍ରେସୱେରେ ୧୫ ଦିନ ଟୋଲ ଫ୍ରି, ଯାତ୍ରୀଙ୍କୁ ବଡ଼ ରାହତ

ଉତ୍ତରପ୍ରଦେଶ: ଜନସାଧାରଣଙ୍କୁ ବଡ଼ ରାହତ ଦେଇ ଯୋଗୀ ଆଦିତ୍ୟନାଥଙ୍କ ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଗଙ୍ଗା ଏକ୍ସପ୍ରେସୱେରେ ମଇ ମାସର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ, ଅର୍ଥାତ୍ ଆଗାମୀ ୧୫ ଦିନ ଯାଏଁ କୌଣସି ଟୋଲ ଟ୍ୟାକ୍ସ ଆଦାୟ ହେବ ନାହିଁ।

ଗତ ୨୯ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟିତ ଏହି ଏକ୍ସପ୍ରେସୱେ ମେରଠକୁ ପ୍ରୟାଗରାଜ ସହିତ ଯୋଡ଼ିଛି। ଉତ୍ତରପ୍ରଦେଶର ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ରାଜ୍ୟର ଯାତାୟାତ ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେବ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉତ୍ତର ପ୍ରଦେଶ ଏକ୍ସପ୍ରେସୱେ ଉଦ୍ୟୋଗିକ ବିକାଶ ପ୍ରାଧିକରଣକୁ ଟୋଲ ଟ୍ୟାକ୍ସ ଆଦାୟ ବନ୍ଦ ରଖିବା ପାଇଁ ଆଦେଶ ଜାରି କରାଯାଇଛି। ଏହି ସମୟସୀମା ଶେଷ ହେବା ପରେ ପୁଣି ସାଧାରଣ ଭାବେ ଟୋଲ ଆଦାୟ ଆରମ୍ଭ ହେବ।

୫୯୪ କିଲୋମିଟର ଦୈର୍ଘ୍ୟର ଏହି ଏକ୍ସପ୍ରେସୱେ ପ୍ରାୟ ୩୬,୨୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏବଂ ଏହା ଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସୱେମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହା ଛଅ-ଲେନ୍‌ ବିଶିଷ୍ଟ ଥିବା ବେଳେ ଆଗାମୀଦିନରେ ଏହାକୁ ଆଠ-ଲେନ୍‌ ପର୍ଯ୍ୟନ୍ତ ବିସ୍ତାର କରାଯିବ।

ଏହି ଏକ୍ସପ୍ରେସୱେ ମେରଠ, ହାପୁଡ, ବୁଲନ୍ଦସହର, ଅମରୋହା, ସମ୍ଭଲ, ବଦାୟୁ, ଶାହଜାହାଁପୁର, ହରଦୋଇ, ଉନ୍ନାଓ, ରାୟବରେଲୀ, ପ୍ରତାପଗଡ ଏବଂ ପ୍ରୟାଗରାଜ ଭଳି ୧୨ଟା ଜିଲ୍ଲା ସହିତ ଯୋଡୁଛି ।

ସରକାରଙ୍କ ଏହି ଟୋଲ ଫ୍ରି ନିଷ୍ପତ୍ତି ନୂତନ ଏକ୍ସପ୍ରେସୱେ ପ୍ରତି ଲୋକଙ୍କ ଆକର୍ଷଣ ବଢ଼ାଇବା ସହ ଯାତାୟାତକୁ ଆହୁରି ସହଜ ଓ ସୁବିଧାଜନକ କରିବ ବୋଲି ଆଶା କରାଯାଉଛି।

Show More

Related Articles

Back to top button