ଉଡ଼ନ୍ତା ବିମାନରେ ପାୱାର ବ୍ୟାଙ୍କ୍ରେ ନିଆଁ, ହାଇଦ୍ରାବାଦରେ ଜରୁରୀ ଅବତରଣ

ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ରବିବାର ହଠାତ୍ ନିଆଁ ଲାଗିଯିବାରୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବିମାନର ଓଭରହେଡ୍ କ୍ୟାବିନ୍ରେ ରଖାଯାଇଥିବା ଏକ ପାୱାର ବ୍ୟାଙ୍କ୍ରେ ନିଆଁ ଲାଗିବାରୁ ବିମାନଟିକୁ ଗନ୍ତବ୍ୟସ୍ଥଳ ଚେନ୍ନାଇ ପରିବର୍ତ୍ତେ ହାଇଦ୍ରାବାଦକୁ ଡାଇଭର୍ଟ କରାଯାଇଥିଲା।
ସୂଚନା ଅନୁଯାୟୀ, ଇଣ୍ଡିଗୋର ୬E ୬୧୧୫ ବିମାନର ଓଭରହେଡ୍ କ୍ୟାବିନ୍ରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। କ୍ୟାବିନ୍ ଖୋଲାଯିବା ପରେ ଭିତରେ ନିଆଁ ଜଳୁଥିବା ଦେଖାଯାଇଥିଲା। ଏହାପରେ ବିମାନର କ୍ରୁ ସଦସ୍ୟମାନେ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ତୁରନ୍ତ ନିଆଁ ଲିଭାଇଥିଲେ।
ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିମାନଟିକୁ ହାଇଦ୍ରାବାଦ ନିଆଯାଇଥିଲା। ସେଠାରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିବା ବେଳେ ସମସ୍ତ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି।
ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ବିମାନ ଭିତରେ ନିଆଁ ଲିଭାଇବାକୁ ଉଦ୍ୟମ ହେଉଥିବା ଦେଖାଯାଉଛି। ପ୍ରାରମ୍ଭିକ ସୂଚନା ଅନୁସାରେ, ପାୱାର ବ୍ୟାଙ୍କ୍ରୁ ନିଆଁ ଲାଗିଥିଲା। ତେବେ ଘଟଣାର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।



