ମୁଖ୍ୟ ଖବରରାଜନୀତି

ଓଡ଼ିଶାରେ PMGSY-IV ଶୁଭାରମ୍ଭ: ୧୭୦୦ କୋଟିରେ ୮୯୮ ଗାଁକୁ ସଡ଼କ ସଂଯୋଗ


ରାୟଗଡ଼ା: ରାଜ୍ୟର ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV) ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉପସ୍ଥିତ ଥିଲେ।

ଏହି ପର୍ଯ୍ୟାୟରେ ରାଜ୍ୟର ୮ଟି ଜିଲ୍ଲା ପାଇଁ ପ୍ରାୟ ୧୭୦୦ କୋଟି ଟଙ୍କା ବ୍ୟୟ ହେବ। ୮୯୮ଟି ଗାଁରେ ୧୭୦୨ କିଲୋମିଟର ଦୈର୍ଘ୍ୟର ପକ୍କା ରାସ୍ତା ନିର୍ମାଣ ହେବା ସହ ୮୨୭ଟି ନୂତନ ସଡ଼କ ପ୍ରକଳ୍ପ କାର୍ଯ୍ୟକାରୀ ହେବ। କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲା ଏଥିରେ ଲାଭାନ୍ୱିତ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗ୍ରାମୀଣ ବିକାଶ ବିନା ସମୃଦ୍ଧ ଓଡ଼ିଶାର କଳ୍ପନା ସମ୍ଭବ ନୁହେଁ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିକୁ ସ୍ମରଣ କରି ଏହି ଯୋଜନା ଗ୍ରାମାଞ୍ଚଳକୁ ମୁଖ୍ୟ ସ୍ରୋତରେ ଆଣିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି।

ଏହାସହ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇ କେନ୍ଦ୍ର ସରକାରଙ୍କ ସହଯୋଗକୁ ସେ ପ୍ରଶଂସା କରିଛନ୍ତି। ଏହି ଅବସରରେ ରାୟଗଡ଼ା ଜିଲ୍ଲାରେ ଅନେକ ପାନୀୟ ଜଳ ଓ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ମଧ୍ୟ କରାଯାଇଛି।

କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଏହି ପ୍ରକଳ୍ପରେ ଅର୍ଥ ବିନିଯୋଗ କରିବେ। ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ପାଇଁ ୬୩୦ କୋଟି ଓ ଜଳ ବିଭାଜିକା ବିକାଶ ପାଇଁ ୩୦ କୋଟି ଟଙ୍କା ମଞ୍ଜୁର ହୋଇଛି।

ମୁଖ୍ୟମନ୍ତ୍ରୀ ମିଶନ ପାୱାର ’ (Power-Water-Road) ନାମକ ନୂତନ ଅଭିଯାନର ଘୋଷଣା କରି ଛୋଟ ଗାଁଗୁଡ଼ିକୁ ସଡ଼କ, ବିଦ୍ୟୁତ ଓ ପାନୀୟ ଜଳ ସୁବିଧା ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ସରକାରର ଲକ୍ଷ୍ୟ କେବଳ ସଡ଼କ ନୁହେଁ, ବରଂ ଲୋକମାନଙ୍କୁ ଲୋକମାନଙ୍କ ସହ ଯୋଡ଼ିବା। ସେ ଆଶ୍ୱାସନ ଦେଇଛନ୍ତି ଯେ କୌଣସି ଗ୍ରାମ ଆଉ ମୌଳିକ ସୁବିଧାରୁ ବଞ୍ଚିତ ରହିବ ନାହିଁ।

Show More

Related Articles

Back to top button