କ୍ରମାଗତ ଭାବେ ବଢୁଛି ଖାଇବା ତେଲର ଦର, ସୋରିଷତେଲ ୧୫୦ଟଙ୍କା
ଆଳୁ, ପିଆଜ, ଡାଲି ଓ ପନିପରିବା ଆଦି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ସହ ଖାଇବାତେଲର ମୂଲ୍ୟ କ୍ରମାଗତ ଭାବେ ବଢ଼ିଚାଲିବା ଜନସାଧାରଣଙ୍କୁ ଅତିଷ୍ଠ କରିଛି। ବିଶେଷକରି ନିମ୍ନ ଓ ମଧ୍ୟବିତ୍ତବର୍ଗର ଜନସାଧାରଣ ପରିବାର ପାଇଁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଡ଼ କରିବା କଷ୍ଟସାଧ୍ୟ ହୋଇପଡ଼ିଛି
କୋଭିଡ୍କୁ ନେଇ ସୃଷ୍ଟି ହୋଇଥିବା ସଙ୍କଟଜନକସ୍ଥିତିରେ ଲୋକଙ୍କ ଅର୍ଥନୈତିକ ଅବସ୍ଥା ଭଲ ନାହିଁ। ଉପାର୍ଜନ ଏବଂ କ୍ରୟଶକ୍ତି ଗୁରୁତର ପ୍ରଭାବିତ ହୋଇଛି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସ୍ବତନ୍ତ୍ର ପଦକ୍ଷେପ ନନେବା ଫଳରେ ଜନସାଧାରଣ ମୂଲ୍ୟବୃଦ୍ଧିରେ ଅଣନିଃଶ୍ବାସୀ ହୋଇପଡ଼ିଛନ୍ତି।ବଜାର, ହାଟକୁ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ ପାଇଁ ଯାଉଥିବା ଲୋକମାନେ ବଜାର ଦରକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଯଥାକଥା ଚଳେଇ ନେବା ଢ଼ଙ୍ଗରେ ଆବଶ୍ୟକତା କାଟଛାଣ୍ଟ କରି ସ୍ବଳ୍ପ ସାମଗ୍ରୀ ନେଇ ଫେରୁଛନ୍ତି। ଆଳୁ କିଲୋ ୪୦ ଟଙ୍କା ଥିବା ବେଳେ ପିଆଜ ମୂଲ୍ୟ ୫୦ରୁ ୫୫ ରହିଛି। ହରଡ଼ଡ଼ାଲି ୧୦୦ ଟଙ୍କା ଏବଂ ଅନ୍ୟ ଡ଼ାଲି ୮୫ରୁ ୯୫ ଟଙ୍କାରେ ବିକ୍ରି ହେଉଛି। ଅନ୍ୟପକ୍ଷରେ ସୋରିଷତେଲ ଖୋଲା ବଜାରରେ ୧୫୦ ଛୁଇଁଲାଣି। ପାମୋଲିନ ୧୦୦ଟଙ୍କା ସୂର୍ଯ୍ୟମୁଖୀ ୧୨୦ ଟଙ୍କାରେ ବିକ୍ରି ହେଉଛି।ତିନିମାସ ହେଲା ଖାଇବାତେଲ ମୂଲ୍ୟ ବଢ଼ି ଚାଲିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି ବ୍ୟବସାୟୀ।ଖାଇବାତେଲ ମୂଲ୍ୟ ବୃଦ୍ଧି ଉପରେ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ପାମୋଲିନ ଉପରେ ଆମଦାନୀ ଶୁଳ୍କ ୪୩% ଓ ୫% ଜିଏସଟି ଦେବାକୁ ପଡ଼ୁଥିବା ବେଳେ ସୂର୍ଯ୍ୟମୁଖୀ ଉପରେ ଆମଦାନୀ ଶୁଳ୍କ ୩୮% ଓ ୫% ଜିଏସଟି ଦେବାକୁ ହେଉଛି।
ଏସବୁ ଇଣ୍ଡୋନେସିଆ, ମାଲେସିଆ ଓ ଆମେରିକା ଆଦି ରାଷ୍ଟ୍ରରୁ ଆମଦାନୀ ହେବା ଫଳରେ ଅଧିକ ଆମଦାନୀ ଶୁଳ୍କ ଦେବାକୁ ପଡୁଛି। ବଜାର ଦର ନିୟନ୍ତ୍ରଣ ଏବଂ ଖାଉଟିଙ୍କ କ୍ରୟଶକ୍ତିକୁ ଗୁରୁତ୍ବ ଦେଇ ଆମଦାନୀ ଶୁଳ୍କ ହ୍ରାସ କ୍ଷେତ୍ରରେ ସରକାର ପଦକ୍ଷେପ ନେବା ଆବଶ୍ୟକ। ଦରବୃଦ୍ଧି ନିୟନ୍ତ୍ରଣକ୍ଷେତ୍ରରେ ନାଫେଡ (ଜାତୀୟ କୃଷି ସମବାୟ ବାଣିଜ୍ୟିକ ମହାସଂଘ)ର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ସେଠାରୁ ମଧ୍ୟ ସରକାର ଆବଶ୍ୟକ ସହଯୋଗ ପାଉ ନଥିବା ଖାଦ୍ୟ ଯୋଗାଣ ବିଭାଗପକ୍ଷରୁ ସୂଚନା ଦିଆଯାଇଛି।ନାଫେଡ ଉତ୍ପାଦନ ସମୟରେ ଆଳୁ, ପିଆଜ, ତୈଳବୀଜ ଆଦି ସଂଗ୍ରହ କରିଥାଏ। ମୂଲ୍ୟବୃଦ୍ଧି ସମୟରେ ବଜାର ଦର ନିୟନ୍ତ୍ରଣ ପାଇଁ କ୍ରୟ ମୂଲ୍ୟ ଉପରେ କମିଶନ ଏବଂ ପରିବହନ ଖର୍ଚ୍ଚ ରଖି ସରକାରଙ୍କୁ ଯୋଗାଇଥାଏ। ଏଥର ରାଜ୍ୟ ସରକାର ବିଭିନ୍ନ ଖାଦ୍ୟ ସାମଗ୍ରୀ ଦେବାକୁ ନାଫେଡ ସହ ଯୋଗାଯୋଗ କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ସଂସ୍ଥା ରାଜ୍ୟ ସରକାରଙ୍କୁ ସାମଗ୍ରୀର ଯେଉଁ ମୂଲ୍ୟ ତାଲିକା ଦେଲେ ତାହା ବଜାର ଦର ପାଖାପାଖି ଥିବାରୁ ସରକାର ଆଣି ନାହାନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟରେ ତୈଳବୀଜ ଉତ୍ପାଦନ ନୈରାଶ୍ୟଜନକ ଥିବାରୁ ଓଡ଼ିଶାକୁ ସମସ୍ତ ଖାଇବା ତେଲ ପାଇଁ ବାହାର ରାଜ୍ୟ ଓ ଦେଶ ଉପରେ ନିର୍ଭର କରିବାକୁ ପଡୁଛି।