
କଟକ: କଟକରେ ଜବତ ହେଲା ନକଲି ଡିଟରଜେଣ୍ଟ । ନକଲି ତେଲ, ଘିଅ, ଧୂପକାଠି, ମସଲା, ସସ୍ ଇଦ୍ୟାଦି ବିଭିନ୍ନ ଖାଦ୍ୟ ସାମଗ୍ରୀ ପରେ ବର୍ତ୍ତମାନ କଟକ ଜିଲ୍ଲାରୁ ଠାବ ହୋଇଛି ନକଲି ଡିଟରଜେଣ୍ଟ୍ ପାଉଡର । ମାଲଗୋଦାମ ଥାନା ପକ୍ଷରୁ ଫ୍ୟାକ୍ଟ୍ରିଉପରେ ଚଢ଼ାଉ କରି ସମସ୍ତ ନକଲି ପଦାର୍ଥକୁ ଜବତ କରିଛି ପୋଲିସ୍ ।
ଚଢ଼ାଉ ସମୟରେ ପ୍ରାୟ ସାଢେ ତିନି ଟନ୍ ନକଲି ଡିଟରଜେଣ୍ଟ ସହ ବିପୁଳ ପରିମାଣର ଡିଟରଜେଣ୍ଟ ସାମଗ୍ରୀ ଓ ଲୋଗୋ ଜବତ କରାଯାଇଛି। ଏହି ଘଟଣାରେ ଜଡିତ ଥିବା ଅଭିଜିତ ବେହେରା ନାମକ ଜଣେ ବ୍ୟକ୍ତିକୁ ପୁଲିସ ଅଟକ ରଖିଛି।
ପୁଲିସର ସୂଚନା ଅନୁଯାୟୀ, ନକଲି ଡିଟରଜେଣ୍ଟ ପାଉଡର କାରଖାନା ଚାଲିଥିବା ନେଇ ଆମ ପାଖକୁ ଖବର ଆସିଥିଲା। ୧୭ ତାରିଖ ଦିନ ମାଲଗୋଦାମ ଥାନା ଅଞ୍ଚଳରୁ ଜଣେ ବ୍ୟକ୍ତିଠାରୁ ଆମେ କିଛି ରାପର ଜବତ କରିଥିଲୁ। ତାକୁ ପଚରାଉଚରା କରିବା ପରେ ଟାଙ୍ଗି ବ୍ରାହ୍ମଣପଡ଼ା ଗାଁରେ ଡିଟରଜେଣ୍ଟ ଫ୍ୟାକ୍ଟ୍ରିଉପରେ ଚଢ଼ାଉ କରିଥିଲୁ। ଅଭିଜିତ ବେହେରା ତାର ଦୁଇ ଜଣ ସହଯୋଗୀଙ୍କ ସହ ଏହି କାରାଖାନା ଚଲାଉଥିଲା। ସେମାନେ ବ୍ରାହ୍ମଣପଡ଼ାରେ ନକଲି ଡିଟରଜେଣ୍ଟ ତିଆରି କରି କଟକ ସଦର ଥାନା ଅନ୍ତର୍ଗତ ଖଣ୍ଡିୟତା ଗାଁ ଓ ମାହାଙ୍ଗା ଅଞ୍ଚଳର ଓମର ଗାଁରେ ସର୍ଫ ଏକ୍ସସେଲ୍ ରାପରରେ ପ୍ୟାକେଜିଂ କରି ସାଧାରଣଙ୍କୁ ଲୋକଙ୍କୁ ବିକ୍ରି କରୁଥିଲେ।