
ବେଳେବେଳେ ପ୍ରେମରେ ମଣିଷ ଏତେ ଅନ୍ଧ ହୋଇଯାଏ ଯେ, ଆତ୍ମହତ୍ୟା ଭଳି ତରମ ନିଷ୍ପତ୍ତି ନେବାକୁ ମଧ୍ୟ ପଛଘୁଞ୍ଚା ଦିଏନାହିଁ । ତେବେ ଏମିତି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ପ୍ରେମକୁ ସ୍ୱୀକୃତି ନମିଳିବାରୁ ଗଛରେ ରଶି ଲଗାଇ ଝୁଲିପଡିଲେ ପ୍ରେମୀ ଯୁଗଳ । ଆଜି ସକାଳୁ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ଅନ୍ତର୍ଗତ ଜବାଗୁଡ଼ା ଗ୍ରାମ ନିକଟରୁ ଏହି ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ।
ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟୁବାଇ ପଞ୍ଚାୟତ ଅନ୍ତର୍ଗତ ଦାମାପାଲା ଗ୍ରାମର ଡମ୍ବୁରୁଧର ହରିଜନ ଓ ଡାବୁଗାଁ ଥାନା ଜବାଗୁଡ଼ା ଗ୍ରାମର ତିଲାଇ ହରିଜନ ମଧ୍ୟରେ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ଗଡି ଉଠିଥିଲା। କିନ୍ତୁ ଉଭୟ ଗୋଟିଏ ପରିବାରର ଦୁଇ ସମ୍ପର୍କୀୟ ହୋଇଥିବାରୁ ଦୁହିଁଙ୍କ ପ୍ରେମକୁ ସ୍ୱୀକୃତି ମିଳିଲାନି । ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଲେ ଏଇ ପ୍ରେମୀ ଯୁଗଳ।
ପ୍ରେମୀ ଯୁଗଳ ଡମ୍ବୁରୁ ଓ ତିଲାଇ ଜବାଗୁଡ଼ା ଗ୍ରାମ ନିକଟ ଏକ କାଜୁ ବଗିଚାକୁ ଯାଇ ରାତ୍ର ସମୟରେ ଗଛରେ ଏକ ଗାମୁଛାରେ ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ବୁଧବାର ସକାଳୁ କାଜୁ ବଗିଚା ଦେଇ ଯାତାୟାତ କରୁଥିବା ଲୋକେ ଦୁଇ ପ୍ରେମିଯୁଗଳଙ୍କ ଝୁଲନ୍ତା ଶବ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଡାବୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରେମୀ ଯୁଗଳଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରେମକୁ ନେଇ ଉଭୟ ପରିବାର ସ୍ଵୀକୃତି ଦେଇ ନ ଥିବାରୁ ଦୁହେଁ ଏଭଳି ପଦକ୍ଷେପ ନେଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।


