ନବୀନ-ପାଣ୍ଡିଆନଙ୍କ ବିରୋଧରେ ଅପରାଧିକ ରିଭିଜନ୍ ଖାରଜ
ଏସ୍ଡିଜେଏମ୍ଙ୍କ ରାୟ ବଳବତ୍ତର

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ପ୍ରଶାସନିକ ଅଧିକାରୀ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ଦାଖଲ ହୋଇଥିବା ଅପରାଧିକ ରିଭିଜନ୍ ମାମଲାକୁ ଖାରଜ କରିଛନ୍ତି ଭୁବନେଶ୍ୱରସ୍ଥିତ ଖୋର୍ଦ୍ଧା ସେସନ୍ସ କୋର୍ଟ। ଏହା ସହିତ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟଙ୍କ ମାର୍ଚ୍ଚ ୨୫, ୨୦୨୬ର ଆଦେଶକୁ ବଜାୟ ରଖାଯାଇଛି।
ଆଇନଜୀବୀ ତଥା ସାମାଜିକ କର୍ମୀ ସୁଧୀର ଚରଣ ମହାନ୍ତି ଏହି ରିଭିଜନ୍ ପିଟିସନ୍ ଦାଖଲ କରିଥିଲେ। ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ବିରୋଧରେ ସେ କରିଥିବା ଅଭିଯୋଗକୁ ଏସ୍ଡିଜେଏମ୍ ଅଦାଲତ ଖାରଜ କରିଥିବାରୁ ତାହାକୁ ଚ୍ୟାଲେଞ୍ଜ କରି ସେସନ୍ସ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।
ଅଭିଯୋଗରେ ୫୦୦ କୋଟି ଟଙ୍କାରୁ ଅଧିକ ସରକାରୀ ଅର୍ଥର ଅପବ୍ୟବହାର ଓ ଅନିୟମିତତା ହୋଇଥିବା ଦାବି କରାଯାଇଥିଲା। ଏଥିସହ ହେଲିକପ୍ଟର ବ୍ୟବହାର, ସରକାରୀ ଅର୍ଥରେ ସଭାସମାବେଶ ସମ୍ପର୍କିତ ଖର୍ଚ୍ଚ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଥିଲା। ଆର୍ଟିଆଇ ମାଧ୍ୟମରେ ସଂଗୃହୀତ ତଥ୍ୟକୁ ଅଭିଯୋଗର ଆଧାର ଭାବେ ଦର୍ଶାଯାଇଥିଲା।
ତେବେ ମାମଲାର ଶୁଣାଣି ବେଳେ ସେସନ୍ସ କୋର୍ଟ ଅଭିଯୋଗକାରୀଙ୍କ ଆବେଦନରେ ଆଇନଗତ ଓ ତଥ୍ୟଗତ ତ୍ରୁଟି ଥିବା ଦର୍ଶାଇଛନ୍ତି। ବିଶେଷକରି ତିନୋଟି ମୁଖ୍ୟ ପ୍ରସଙ୍ଗ ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି।
ପ୍ରଥମତଃ, ବିଏନ୍ଏସ୍ଏସ୍ର ଧାରା ୧୭୩(୪) ଅନୁଯାୟୀ ଏଫ୍ଆଇଆର୍ ରୁଜୁ ନହେବା ପରେ ଅନୁସରଣ କରିବାକୁ ଥିବା ବାଧ୍ୟତାମୂଳକ ଆଇନଗତ ପ୍ରକ୍ରିୟା ଠିକ୍ ଭାବେ ପାଳନ କରାଯାଇନଥିବା କୋର୍ଟ କହିଛନ୍ତି। ଡିସିପିଙ୍କ ନିକଟକୁ ପଠାଯାଇଥିବା ରିପୋର୍ଟ ଅତ୍ୟନ୍ତ ସଂକ୍ଷିପ୍ତ ଥିବା ସହ ଆଇନରେ ନିର୍ଦ୍ଧାରିତ ପ୍ରକ୍ରିୟାରେ ଡାକ ଯୋଗେ ପଠାଯାଇନଥିବା ଉଲ୍ଲେଖ କରାଯାଇଛି।
ଦ୍ୱିତୀୟତଃ, ଅଭିଯୋଗରେ ଥିବା ଦାବିକୁ ସମର୍ଥନ କରିବା ପାଇଁ ଆବଶ୍ୟକ ଦଲିଲ କିମ୍ବା ଆର୍ଟିଆଇ ତଥ୍ୟ କୋର୍ଟରେ ଉପସ୍ଥାପନ କରାଯାଇନଥିବା ଅଦାଲତ ଲକ୍ଷ୍ୟ କରିଛନ୍ତି। ଅଭିଯୋଗଗୁଡ଼ିକ ସାଧାରଣ ଓ ବ୍ୟାପକ ଧରଣର ହୋଇଥିବାବେଳେ ଅଭିଯୁକ୍ତମାନଙ୍କ ସହ ଅପରାଧର ସ୍ପଷ୍ଟ ସମ୍ପର୍କ ଦର୍ଶାଇବା ଭଳି ପ୍ରାଥମିକ ପ୍ରମାଣ ନଥିବା କୋର୍ଟ କହିଛନ୍ତି।
ତୃତୀୟତଃ, ବିଏନ୍ଏସ୍ଏସ୍ର ଧାରା ୩୩ ଅନୁଯାୟୀ ଅଭିଯୋଗକାରୀଙ୍କ ମାମଲା ଦାଖଲ କରିବାର ଆଇନଗତ ଅଧିକାର ବା ଲୋକସ୍ ମଧ୍ୟ ନଥିବା ସେସନ୍ସ କୋର୍ଟ ସ୍ପଷ୍ଟ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଥିବା ଅପରାଧ ଏହି ଧାରାରେ ଉଲ୍ଲେଖିତ ବର୍ଗ ମଧ୍ୟରେ ଆସୁନଥିବା କୋର୍ଟ ମତ ଦେଇଛନ୍ତି।
ସମସ୍ତ ପକ୍ଷକୁ ବିଚାର କରିବା ପରେ ଏସ୍ଡିଜେଏମ୍ଙ୍କ ମାର୍ଚ୍ଚ ୨୫ ତାରିଖର ଆଦେଶରେ କୌଣସି ଆଇନଗତ ତ୍ରୁଟି ନଥିବା ସେସନ୍ସ କୋର୍ଟ ଜଣାଇଛନ୍ତି। ଫଳରେ ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ଦାଖଲ ଅପରାଧିକ ରିଭିଜନ୍ ପିଟିସନ୍ ଖାରଜ ହୋଇଛି।



