
ଭୁବନେଶ୍ୱର: ନାରୀ ସଶକ୍ତୀକରଣ ଓ ଆତ୍ମରକ୍ଷାର ବାର୍ତ୍ତା ନେଇ କିଟ୍ ପରିସରରେ ଆୟୋଜିତ ହୋଇଛି ‘ଶକ୍ତି ଶୋ’। ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ଜାତୀୟ ମହିଳା ଆୟୋଗ (ଏନ୍ସିଡବ୍ଲ୍ୟୁ)ର ମିଳିତ ପଦକ୍ଷେପରେ ପ୍ରଶିକ୍ଷଣ ନେଇଥିବା ପ୍ରାୟ ୩୦୦ ଜଣ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ମହିଳା ଏଥିରେ ଅଂଶଗ୍ରହଣ କରିଥିଲେ।
‘ଶକ୍ତି ପରେଡ୍-କମ୍-ଡେମୋନଷ୍ଟ୍ରେସନ୍’ରେ ମହିଳାମାନେ ପ୍ରଶିକ୍ଷଣ ସମୟରେ ଶିଖିଥିବା ବିଭିନ୍ନ ଆତ୍ମରକ୍ଷା କୌଶଳର ସଜୀବ ପ୍ରଦର୍ଶନ କରିଥିଲେ। ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ ସହ ଆତ୍ମରକ୍ଷା କିଟ୍ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏନ୍ସିଡବ୍ଲ୍ୟୁ ଅଧ୍ୟକ୍ଷା ବିଜୟା ରାହତକରଙ୍କ ସମେତ ମିଶନ ଶକ୍ତି ଓ ମହିଳା ଏବଂ ଶିଶୁ ବିକାଶ ବିଭାଗର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ।
ଏହି ଅବସରରେ ଭୁବନେଶ୍ୱରରେ ଚାଲିଥିବା ଦୁଇଦିନିଆ ‘ଶକ୍ତି ସମ୍ମିଳନୀ’ର ମଧ୍ୟ ସମାପନ ହୋଇଛି। ରାଜ୍ୟସଭା ସାଂସଦ ମନମୋହନ ସାମଲ, ଏନ୍ସିଡବ୍ଲ୍ୟୁ ଅଧ୍ୟକ୍ଷା ବିଜୟା ରାହତକର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ସମ୍ମିଳନୀରେ ମହିଳା ସୁରକ୍ଷା ଓ ସଶକ୍ତୀକରଣ ସମ୍ପର୍କିତ ବିଭିନ୍ନ ଯୋଜନା ଓ ସଫଳ ପଦକ୍ଷେପ ଉପରେ ଅଭିଜ୍ଞତା ବିନିମୟ ହୋଇଥିଲା। କେବଳ ଯୋଜନା ପ୍ରଣୟନ ନୁହେଁ, ମହିଳାଙ୍କ ଜୀବନରେ ଏହାର ବାସ୍ତବ ପ୍ରଭାବ ଦେଖାଯିବା ଆବଶ୍ୟକ ବୋଲି ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ ଆଲୋଚନାର ନିଷ୍କର୍ଷକୁ ଠୋସ୍ ପଦକ୍ଷେପରେ ପରିଣତ କରି ମହିଳାଙ୍କ ପାଇଁ ଅଧିକ ସୁରକ୍ଷିତ ପରିବେଶ ଗଠନ ପାଇଁ ସାମୂହିକ ପ୍ରତିବଦ୍ଧତା ପ୍ରକାଶ ପାଇଥିଲା।



