ପିୟୁସିସି ନିୟମ ଉଲ୍ଲଂଘନରେ କମିଲା ଜରିମାନା
ଗାଡ଼ି ଅନୁସାରେ ନିର୍ଦ୍ଧାରଣ ହେଲା ନୂଆ ଦର

ଭୁବନେଶ୍ୱର: ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ସମ୍ପର୍କିତ ନିୟମ ଉଲ୍ଲଂଘନ ପାଇଁ ଜରିମାନା ହ୍ରାସ କରିଛନ୍ତି ରାଜ୍ୟ ସରକାର। ୨୦୧୯ରୁ ଲାଗୁ ଥିବା ୧୦ ହଜାର ଟଙ୍କାର ଜରିମାନାକୁ ଏବେ ଯାନର ପ୍ରକାର ଏବଂ ଉଲ୍ଲଂଘନର କ୍ରମ ଅନୁଯାୟୀ ପୁନଃନିର୍ଦ୍ଧାରଣ କରାଯାଇଛି। ବୁଧବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏନେଇ ଘୋଷଣା କରିଛନ୍ତି।
ନୂଆ ବ୍ୟବସ୍ଥା ଅନୁଯାୟୀ, ମୋଟରସାଇକେଲ୍ ଓ ଅନ୍ୟ ଦୁଇଚକିଆ ଯାନ ସହ ଯାତ୍ରୀ କିମ୍ବା ସାମଗ୍ରୀ ପରିବହନରେ ବ୍ୟବହୃତ ତିନିଚକିଆ ଯାନ ପାଇଁ ପ୍ରଥମ ଥର ନିୟମ ଭାଙ୍ଗିଲେ ୧ ହଜାର ଟଙ୍କା ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ଉଲ୍ଲଂଘନରେ ୨ ହଜାର ଟଙ୍କା ଜରିମାନା ହେବ।
ମୋଟର କ୍ୟାବ୍, କାର୍ ଓ ଜିପ୍ ପାଇଁ ପ୍ରଥମ ଉଲ୍ଲଂଘନରେ ୨ ହଜାର ଏବଂ ପୁନର୍ବାର ନିୟମ ଭାଙ୍ଗିଲେ ୫ ହଜାର ଟଙ୍କା ଜରିମାନା ରହିବ। ସେହିପରି ଟ୍ରାକ୍ଟର ଓ ଟ୍ରେଲର ପାଇଁ ମଧ୍ୟ ପ୍ରଥମ ଥର ୨ ହଜାର ଏବଂ ପରବର୍ତ୍ତୀ ଉଲ୍ଲଂଘନରେ ୫ ହଜାର ଟଙ୍କା ଦେବାକୁ ପଡ଼ିବ।
ଏହି ଶ୍ରେଣୀ ବାହାରେ ଥିବା ଅନ୍ୟ ଯାନଗୁଡ଼ିକ ପାଇଁ ପ୍ରଥମ ଥର ନିୟମ ଉଲ୍ଲଂଘନରେ ୩ ହଜାର ଏବଂ ଦ୍ୱିତୀୟ କିମ୍ବା ପରବର୍ତ୍ତୀ ଥର ୬ ହଜାର ଟଙ୍କା ଜରିମାନା ଲାଗିବ।
ମନ୍ତ୍ରୀଙ୍କ କହିବା ଅନୁସାରେ, ପିୟୁସିସି ଯାଞ୍ଚର କଠୋରତା, ପ୍ରଦୂଷଣ ପରୀକ୍ଷା କେନ୍ଦ୍ରର ଉପଲବ୍ଧତା ଏବଂ ଜରିମାନା ହାରକୁ ନେଇ ଗାଡ଼ି ମାଲିକ, ବିଭିନ୍ନ ସଂଗଠନ ଓ ଗଣମାଧ୍ୟମ ପକ୍ଷରୁ ଆପତ୍ତି ଓ ଦାବି ଉଠିଥିଲା। ଲୋକଙ୍କ ଦାବିକୁ ଗୁରୁତ୍ୱ ଦେଇ ସରକାର ଏହି ପରିବର୍ତ୍ତନ କରିଥିବା ସେ କହିଛନ୍ତି।
ତେବେ ଜରିମାନା କମିଥିଲେ ମଧ୍ୟ ମୋଟର ଯାନ ଆଇନ ଓ ସଡ଼କ ସୁରକ୍ଷା ନିୟମ ପାଳନରେ କୌଣସି ଢିଲା ଦିଆଯିବ ନାହିଁ। ସମସ୍ତ ଗାଡ଼ି ମାଲିକଙ୍କୁ ପିୟୁସିସି, ଗାଡ଼ି ବୀମା ସମେତ ଆବଶ୍ୟକ ସମସ୍ତ କାଗଜପତ୍ର ବୈଧ ଓ ଅଦ୍ୟତନ ରଖିବାକୁ ମନ୍ତ୍ରୀ ଆହ୍ୱାନ କରିଛନ୍ତି।
ସରକାର ପୂର୍ବରୁ ଲୋକଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି କିଛି ସମୟ ପାଇଁ ଆବଶ୍ୟକ ଗାଡ଼ି କାଗଜପତ୍ର ଯାଞ୍ଚରେ କୋହଳ କରିଥିଲେ। ଏହି କୋହଳ ଏପ୍ରିଲ୍ ୧ ଯାଏ ଜାରି ରହିଥିଲା। ଏହା ପରେ ପ୍ରଦୂଷଣ ଓ ବୀମା ସମ୍ପର୍କିତ ଯାଞ୍ଚକୁ ବ୍ୟାପକ କରାଯାଇନଥିଲା। ଏବେ ମୋଟର ଯାନ ଆଇନ ପାଳନ ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଯାଞ୍ଚ ଓ ପ୍ରବର୍ତ୍ତନ ପ୍ରକ୍ରିୟା ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିସହ ଇ-ଡିଟେକ୍ସନ୍ ମାଧ୍ୟମରେ ଚିହ୍ନଟ ହେଉଥିବା ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଯଦି କୌଣସି ଇ-ଚାଲାଣ ୯୦ ଦିନରୁ ଅଧିକ ସମୟ ଧରି ପୈଠ ହୋଇନଥାଏ, ତେବେ ସମ୍ପୃକ୍ତ ଗାଡ଼ି ପିୟୁସିସି ପାଇବାକୁ ଅଯୋଗ୍ୟ ହୋଇପାରିବ। ଏହି ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ିରେ ଲାଗୁ କରାଯିବ।
ମନ୍ତ୍ରୀ ଗାଡ଼ି ଚାଳକ ଓ ମାଲିକମାନଙ୍କୁ ନିୟମ ମାନିବା ସହ ସମସ୍ତ ଆବଶ୍ୟକ କାଗଜପତ୍ର ଅଦ୍ୟତନ ରଖିବାକୁ ପରାମର୍ଶ ଦେଇଛନ୍ତି। ନିୟମ ପାଳନ କରୁଥିବା ଲୋକଙ୍କୁ ନୁହେଁ, କେବଳ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ହିଁ ପ୍ରବର୍ତ୍ତନମୂଳକ ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।



