
ନୂଆଦିଲ୍ଲୀ: ଚିନିର ଅବୈଧ ମହଜୁଦ ଓ କଳାବଜାରୀ ଉପରେ ଅଙ୍କୁଶ ଲଗାଇବା ଲାଗି କେନ୍ଦ୍ର ସରକାର ଷ୍ଟକ୍ ସୀମାକୁ ହ୍ରାସ କରିଛନ୍ତି। ସେପ୍ଟେମ୍ବର ୧୫ରୁ ଚିନି ଡିଲରମାନେ ସର୍ବାଧିକ ୨ ହଜାର କ୍ୱିଣ୍ଟାଲ ଚିନି ନିଜ ପାଖରେ ରଖିପାରିବେ। ପୂର୍ବରୁ ଏହି ସୀମା ୪ ହଜାର କ୍ୱିଣ୍ଟାଲ ଥିଲା।
ବଜାରରେ ଚିନିର ଉପଲବ୍ଧତା ସ୍ୱାଭାବିକ ରଖିବା ଏବଂ ମନମାନି ଦରବୃଦ୍ଧିକୁ ରୋକିବା ଉଦ୍ଦେଶ୍ୟରେ ଷ୍ଟକ୍ ସୀମା ଅଧା କରାଯାଇଛି। ଅଧିକ ପରିମାଣର ଚିନି ଗଚ୍ଛିତ କରି ରଖି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରିବା ଉପରେ ମଧ୍ୟ ଏହା ରୋକ ଲଗାଇବ ବୋଲି ଆଶା କରାଯାଉଛି।
ନୂଆ ବ୍ୟବସ୍ଥାରେ ଡିଲର କିମ୍ବା ବ୍ୟବସାୟୀମାନେ ନିଜ ଷ୍ଟକ୍କୁ ୩୦ ଦିନରୁ ଅଧିକ ସମୟ ଧରି ରଖିପାରିବେ ନାହିଁ। ଷ୍ଟକ୍ ସୀମା ଓ ମହଜୁଦ ଅବଧି ଉପରେ ନଜର ରଖିବା ସହ ଚିନିର ଯୋଗାଣ ଓ ବଜାର ଦର ସ୍ଥିତିକୁ ସରକାର ନିରୀକ୍ଷଣ କରିବେ।
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ଷ୍ଟକ୍ ସୀମା ସମ୍ପର୍କିତ ବ୍ୟବସ୍ଥା ନଭେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାଦ୍ୱାରା ଚିନିର କଳାବଜାରୀ ଉପରେ ନିୟନ୍ତ୍ରଣ ଆସିବା ସହ ଉପଭୋକ୍ତାଙ୍କ ପାଇଁ ବଜାରରେ ନିୟମିତ ଯୋଗାଣ ସୁନିଶ୍ଚିତ କରିବାକୁ ସରକାରଙ୍କ ପ୍ରୟାସ ରହିଛି।


