Breaking PLUSଦେଶଭକ୍ତିମୁଖ୍ୟ ଖବର

ରାମ ମନ୍ଦିର ଟ୍ରଷ୍ଟରେ ପ୍ରଥମ CEO ନିଯୁକ୍ତି ହେଲେ ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର

ଅଯୋଧ୍ୟା ରାମ ମନ୍ଦିରର ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁସଂଗଠିତ ଓ ପେସାଦାର କରିବା ଦିଗରେ ବଡ଼ ପଦକ୍ଷେପ ନେଇଛି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ। ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରଙ୍କୁ ଟ୍ରଷ୍ଟର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବେ ଚୟନ କରାଯାଇଛି। ୫ ହଜାରରୁ ଅଧିକ ଆବେଦନ ମଧ୍ୟରୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ବଛାଯାଇଥିବା ଜଣାପଡ଼ିଛି।

ଭାରତୀୟ ବାୟୁସେନାରେ ଦୀର୍ଘ ଅଭିଜ୍ଞତା ଥିବା ଜିତେନ୍ଦ୍ର ମିଶ୍ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମାଣ୍ଡ ଦାୟିତ୍ୱ ତୁଲାଇଛନ୍ତି। ଅପରେସନ ସିନ୍ଦୂର ସମୟରେ ସେ ବାୟୁସେନାର ପଶ୍ଚିମ କମାଣ୍ଡର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କର ପ୍ରଶାସନିକ ଅଭିଜ୍ଞତାକୁ ଟ୍ରଷ୍ଟର ପରିଚାଳନାରେ ଉପଯୋଗ କରିବା ଲକ୍ଷ୍ୟ ରହିଥିବା କୁହାଯାଉଛି।

CEO ନିଯୁକ୍ତି ସହ ଟ୍ରଷ୍ଟର କାର୍ଯ୍ୟପଦ୍ଧତିରେ ମଧ୍ୟ କିଛି ପରିବର୍ତ୍ତନ ଆସିବ। ଆଗାମୀ ବୈଠକରେ ଟ୍ରଷ୍ଟ ଡିଡ୍‌ରେ ସଂଶୋଧନ ସମ୍ପର୍କିତ ପ୍ରସ୍ତାବ ଉପରେ ବିଚାର କରାଯିବ। ବିଶେଷକରି CEOଙ୍କ ଅଧିକାର, ଦାୟିତ୍ୱ ଏବଂ କାର୍ଯ୍ୟକ୍ଷେତ୍ରକୁ ସ୍ପଷ୍ଟ କରିବା ପାଇଁ ନୂଆ ବ୍ୟବସ୍ଥା କରାଯିବ।

ନୂଆ ପଦରେ ଜିତେନ୍ଦ୍ର ମିଶ୍ର ଟ୍ରଷ୍ଟର ପ୍ରଶାସନିକ, ଆର୍ଥିକ ଓ ଆଇନଗତ କାର୍ଯ୍ୟର ସମନ୍ୱୟ କରିବେ। ଏଥିସହ ଭବିଷ୍ୟତ ଯୋଜନା ପ୍ରସ୍ତୁତି, କାର୍ଯ୍ୟରେ ସ୍ୱଚ୍ଛତା ଏବଂ ଦକ୍ଷ ପରିଚାଳନା ବ୍ୟବସ୍ଥା ବିକଶିତ କରିବା ତାଙ୍କ ଦାୟିତ୍ୱର ଅଂଶ ହେବ।

ବୈଠକରେ ମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଆଲୋଚନା ହେବ। ସ୍ଥାୟୀ ସ୍ଥାନୀୟ ସୁରକ୍ଷା ସମନ୍ୱୟ କମିଟି ଗଠନ ନେଇ ପ୍ରସ୍ତାବ ରହିଛି। ଏହାବ୍ୟତୀତ ଟ୍ରଷ୍ଟ ପକ୍ଷରୁ ଜଣେ ଆଧିକାରିକ ପ୍ରେସ୍ ମୁଖପାତ୍ର ନିଯୁକ୍ତ କରିବା ନେଇ ମଧ୍ୟ ନିଷ୍ପତ୍ତି ହୋଇପାରେ।

ଅନ୍ୟପଟେ, ମନ୍ଦିରର ଦାନ ଅର୍ଥରେ କଥିତ ଅନିୟମିତତା ଓ ଚୋରି ଅଭିଯୋଗ ସମ୍ପର୍କିତ SIT ତଦନ୍ତର ଅଗ୍ରଗତିକୁ ମଧ୍ୟ ସମୀକ୍ଷା କରାଯିବ। ଏହି ପ୍ରସଙ୍ଗକୁ ନେଇ ପୂର୍ବତନ ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ଟ୍ରଷ୍ଟି ଅନିଲ ମିଶ୍ର ଇତିମଧ୍ୟରେ ଇସ୍ତଫା ଦେଇସାରିଛନ୍ତି।

ଟ୍ରଷ୍ଟରେ ପ୍ରଥମଥର ପାଇଁ CEO ପଦ ସୃଷ୍ଟି ଓ ଏଥିପାଇଁ ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କ ଚୟନକୁ ପରିଚାଳନା ବ୍ୟବସ୍ଥାରେ ଏକ ନୂଆ ପର୍ଯ୍ୟାୟର ଆରମ୍ଭ ଭାବେ ଦେଖାଯାଉଛି।

Show More

Related Articles

Back to top button