
ସୋନପୁର : ପାରିବାରିକ କଥାକୁ ନେଇ ଆରମ୍ଭ ହେଲା ବଚସା। ଏହା ଏତେ ଉଗ୍ର ହେଲା ଯେ ହାତାହାତି ପର୍ଯ୍ୟନ୍ତ କଥା ଗଲା। ଶେଷରେ ସ୍ତ୍ରୀଙ୍କୁ ଭୁଜାଲିରେ ହାଣି ନିଜ ଜୀବନ ହାରିଦେଲେ ସ୍ୱାମୀ। ଏପରି ଏକ ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲିଗାଁରେ ଘଟିଛି। ମୃତକ ଜଣକ ସମ୍ବଲପୁର ଛିପିଲିମା ଅଞ୍ଚଳର ବନ୍ତୋଷ ଗଣ୍ଡ ହୋଇଥିବା ଗୁରୁତର ଥିବା ତାଙ୍କ ପତ୍ନୀ ହେଲେ ପାଲିଗାଁର ରଞ୍ଜିତା ଗଣ୍ଡ। ବନ୍ତୋଷ ଓ ରଞ୍ଜିତାଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିବାରୁ ରଞ୍ଜିତା ନିଜ ବାପ ଘରକୁ ପଳାଇ ଆସିଥିଲେ। ଏହାପରେ ବନ୍ତୋଷ ମଧ୍ୟ ଶ୍ୱଶୁର ଘରକୁ ଆସିଥିଲେ। ଏଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଆଜି ସକାଳେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ବନ୍ତୋଷ ନିଜ ପତ୍ନୀଙ୍କୁ ଏକ ଭୁଜାଲିରେ ହାଣି ଦେଇଥିଲେ। ରଞ୍ଜିତା ତଳେ ପଡ଼ିଯିବା ସହ ତାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହାଦେଖି ତାଙ୍କ ମୃତ୍ୟୁ ହୋଇ ଯାଇଥିବା ଭାବି ଛାନିଆ ହୋଇ ପଡ଼ିଲେ ବନ୍ତୋଷ । ଏହା ପରେ ସେ ଏକ ରୁମ୍କୁ ଯାଇ କବାଟ ବନ୍ଦ କରି ବେକରେ ଗାମୁଛା ଗୁଡ଼ାଇ ଆତ୍ମହତ୍ୟା କରିଥିଲେ। ରଞ୍ଜିତାଙ୍କ ଗୁରୁତର ଅବସ୍ଥାରେ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ୱାଭାବିକ ଥିବା ଜଣାଯାଇଛି। ବୀରମହାରାଜପୁର ପୁଲିସ ଖବର ପାଇ ଶବ ଜବତ ସହ ତଦନ୍ତ ଆରମ୍ଭ କରିଛି ।