ମୁଖ୍ୟ ଖବରରାଜନୀତି

‘ପୂର୍ବ ଉପକୂଳ ହେବ ଭାରତର ଆଗାମୀ ବିକାଶ ଇଞ୍ଜିନ’: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଭାରତର ଶିଳ୍ପ ଓ ଅର୍ଥନୈତିକ ବିକାଶ କେବଳ ଏକ ଅଞ୍ଚଳକୁ କେନ୍ଦ୍ର କରି ରହିପାରିବ ନାହିଁ। ଆଗାମୀ ଦିନରେ ଦେଶର ଶିଳ୍ପ ସମ୍ପ୍ରସାରଣର ନେତୃତ୍ୱ ପୂର୍ବ ଉପକୂଳ ନେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଗୁଜରାଟର ମୁନ୍ଦ୍ରା ବନ୍ଦର ପରିଦର୍ଶନ ସମୟରେ ଶିଳ୍ପପତିମାନଙ୍କୁ ସମ୍ବୋଧିତ କରି ସେ ‘ଟୁ-କୋଷ୍ଟ ଷ୍ଟ୍ରାଟେଜି’ ବା ଦ୍ୱି-ଉପକୂଳ ରଣନୀତିର ପ୍ରସ୍ତାବ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଶ୍ଚିମ ଉପକୂଳ ଦୀର୍ଘଦିନ ଧରି ସାମୁଦ୍ରିକ ବାଣିଜ୍ୟ ଓ ଶିଳ୍ପର ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଥିବା ବେଳେ ଏବେ ପୂର୍ବ ଉପକୂଳ ଦେଶର ଅଭିବୃଦ୍ଧିର ନୂଆ ଆଧାର ହେବାକୁ ପ୍ରସ୍ତୁତ। ପଶ୍ଚିମ ଉପକୂଳର ଦକ୍ଷତା ଓ ପୂର୍ବ ଉପକୂଳର ବିପୁଳ ସମ୍ଭାବନାକୁ ଏକତ୍ର କରି ଦେଶର ଶିଳ୍ପ ବିକାଶକୁ ଆହୁରି ଗତିଶୀଳ କରାଯାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ।

ସେ ଆହୁରି କହିଥିଲେ ଯେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୮.୩୭ ଲକ୍ଷ କୋଟି ଟଙ୍କାର ୪୩୩ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେଥିମଧ୍ୟରୁ ୨.୮୬ ଲକ୍ଷ କୋଟି ଟଙ୍କାର ୧୪୮ଟି ପ୍ରକଳ୍ପର କାମ ଆରମ୍ଭ ହୋଇସାରିଛି। ଦକ୍ଷିଣ-ପୂର୍ବ ଏସିଆ, ପୂର୍ବ ଏସିଆ ଓ ଇଣ୍ଡୋ-ପାସିଫିକ୍ ଅଞ୍ଚଳ ସହ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟକୁ ଆହୁରି ବିକଶିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରତିନିଧି ଦଳ ମୁନ୍ଦ୍ରା ଶିଳ୍ପାଞ୍ଚଳ ଓ ଏସ୍‌ଇଜେଡ୍‌ ପରିଦର୍ଶନ କରିଥିଲେ।

ଉପକୂଳ ଭିତ୍ତିଭୂମି, ଶିଳ୍ପ କରିଡର, ଲଜିଷ୍ଟିକ୍ସ ହବ୍ ଓ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ ମାଧ୍ୟମରେ ଓଡ଼ିଶା ବିଶ୍ୱ ବଜାର ସହ ନିଜ ଉତ୍ପାଦନ କ୍ଷେତ୍ରକୁ ଆହୁରି ସୁଦୃଢ଼ ଭାବେ ଯୋଡ଼ିପାରିବ ବୋଲି ମତ ପ୍ରକାଶ ପାଇଛି।

Show More

Related Articles

Back to top button