ସ୍ୱର୍ଗଠାରୁ ମଧ୍ୟ ମହାନ ତପଲୋକ ‘ପୃଥ୍ୱୀଲୋକ’
ଏକ ବହୁତ ବଡ଼ ସନ୍ଥ ଥିଲେ, ମହାତ୍ମା ବିଦ୍ରୁଧ ।

ଏକ ବହୁତ ବଡ଼ ସନ୍ଥ ଥିଲେ, ମହାତ୍ମା ବିଦ୍ରୁଧ । ସେ ସାରା ଜୀବନ ଦୀନଦୁଃଖୀଙ୍କ ସେବାରେ ହିଁ ବ୍ୟତୀତ କରିଦେଲେ। ଲୋକଙ୍କର ଦୁଃଖକଷ୍ଟ ଦେଖି ମୋଟେ ସହିପାରୁନଥିଲେ। ତତ୍କାଳ ସେମାନଙ୍କ ସହାୟତା କରିବାରେ ଲାଗି ଯାଉଥିଲେ। କାହାକୁ ଅଭାବଗ୍ରସ୍ତ ଦେଖିଲେ ତାଙ୍କପାଇଁ ଆବଶ୍ୟକ ସାଧନ ଯୋଗାଇ ଦେବାପାଇଁ ତତ୍ପର ହୋଇଯାଉଥିଲେ। ସଂକ୍ଷେପରେ କହିଲେ ତାଙ୍କ ଜୀବନ ସେବା ପରମାର୍ଥର ପର୍ଯ୍ୟାୟ ଥିଲା । ଜନମଙ୍ଗଳ ହିଁ ତାଙ୍କ ଜୀବନର ଏକମାତ୍ର ଧେୟ ଥିଲା।
ଜୀବନକାଳ ପୂର୍ଣ୍ଣ ହେବାରୁ ତାଙ୍କର ସ୍ଵର୍ଗବାସ ହୋଇଗଲା। । ସେବାଧର୍ମ ଓ ତପୋମୟ ଜୀବନର ଫଳସ୍ବରୂପ ତାଙ୍କୁ ଉଚ୍ଚସ୍ତରୀୟ ସ୍ଵର୍ଗଲୋକରେ ସ୍ଥାନ ମିଳିଲା। ତାଙ୍କପାଇଁ ଉତ୍ତମ ବ୍ୟବସ୍ଥା କରାଗଲା। ସୁଖଦାୟକ ନନ୍ଦନବନ, ସୁଗନ୍ଧିତ ମଳୟ ପବନ, ସ୍ନାନପାଇଁ ସୁଶୀତଳ ଜଳ, ଚୌଦିଗରେ ହର୍ଷଲ୍ଲାସର ପରିବେଶ, ଗନ୍ଧର୍ବମାନଙ୍କର ମନୋମୁଗ୍ଧକାରୀ ସଙ୍ଗୀତ, ଅପ୍ସରାମାନଙ୍କର ଆକର୍ଷକ ଭାବଭଙ୍ଗିମାଯୁକ୍ତ ନୃତ୍ୟ–ଛଟା, ବିଳାସ ବୈବଭର ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଉଚ୍ଚତର ସ୍ଵର୍ଗଲୋକ।
ଉଚ୍ଚସ୍ତରୀୟ ସ୍ବର୍ଗରେ ସମସ୍ତେ ଉଚ୍ଚସ୍ତରୀୟ ଆତ୍ମା ଥିଲେ। ସମସ୍ତଙ୍କ ସହିତ ମିଳାମିଶା କରିବାରେ ଏବଂ ହଷୋଲ୍ଲାସର ପରିବେଶରେ କିଛିଦିନ ସହଜରେ ବିତିଗଲା। କିନ୍ତୁ ଧୀରେ ଧୀରେ ତାଙ୍କ ମନ ବିରକ୍ତ ହେବାକୁ ଲାଗିଲା। ସ୍ବର୍ଗର ଯେଉଁ ସୁଖ ସୁବିଧାପାଇଁ ଲୋକେ ଲାଳାୟିତ ହୋଇଥାନ୍ତି, ସେହିସବୁ ସେବାଧର୍ମୀ ମହାତ୍ମା ବିଦ୍ରୁଧଙ୍କପାଇଁ ସୁଖପ୍ରଦ ହେଲାନାହିଁ। ସୁରା-ସୁନ୍ଦରୀର ମନମୋହକ ଆକର୍ଷଣ ସୁଖ-ସନ୍ତୋଷ ଦେବା ପରିବର୍ତ୍ତେ ବିଦ୍ରୁଧଙ୍କ ମନରେ ଅସନ୍ତୋଷ, ବିତୃଷ୍ଣା ଓ ଉଦାସୀନତା ବଢ଼ିବାରେ ଲାଗିଲା। ସ୍ୱର୍ଗରେ ସମସ୍ତ ଦେବତା ପ୍ରଫୁଲ୍ଲ-ପ୍ରସନ୍ନ, କିନ୍ତୁ ପୁଣ୍ୟାତ୍ମା ବିଦ୍ରୁଧ ବିତୃଷ୍ଣ-ବିଷଣ୍ଣ। ଏହା ଦେଖି ଦେବରାଜ ଇନ୍ଦ୍ର ପଚାରିଲେ, ‘ଆପଣ ଅନେକ ଦିନରୁ ଉଦାସ ଦେଖାଯାଉଛନ୍ତି । କିଛି ଅସୁବିଧା ହେଉଛି କି? ଆପଣଙ୍କ ସୁଖ-ସୁବିଧାର ବ୍ୟବସ୍ଥାରେ କିଛି ତ୍ରୁଟି ରହିଯାଇଛି? ଯଦି ଆହୁରି କିଛି ଆବଶ୍ୟକ, ତେବେ ନିଃସଙ୍କୋଚଭାବେ କହନ୍ତୁ, ତାକୁ ପୂରା କରାଯିବ । ଆପଣଙ୍କପାଇଁ କୌଣସି ଅଭାବ ରଖାଯିବ ନାହିଁ।”
ବିଦ୍ରୁଧ ସହଜ ଭାବରେ ଉତ୍ତର ଦେଲେ, “ତାହା ତ ଠିକ୍, କିନ୍ତୁ ମୋପାଇଁ ଯେଉଁ ଅଭାବ ଅଛି, ତାହା ଏଠାରେ ପୂରା କରିହେବ ନାହିଁ।”
ଇନ୍ଦ୍ର- ଏପରି କେଉଁ ଆବଶ୍ୟକତା ରହିଛି, ଯାହା ସ୍ୱର୍ଗଭଳି ଉତ୍ତମ ଲୋକରେ କାମଧେନୁ ଓ କଳ୍ପବୃକ୍ଷଙ୍କ ପାଖରେ ମଧ୍ୟ ନାହିଁ ?”
ବିଦ୍ରୁଧ– ‘ତାହା ଆପଣଙ୍କ ଲୋକର ବାହାରର ବସ୍ତୁ । ଇନ୍ଦ୍ର ବିସ୍ମିତ ହୋଇ ଚାହିଁଲେ । ବିଦ୍ରୁଧ ତାକୁ ନିବାରଣ କରି କହିଲେ, ମୋତେ ଏଠାରେ ସୁଖ-ସୁବିଧା ଅଭାବର କୌଣସି ଅଭିଯୋଗ ନାହିଁ। ମୋତେ ତ ଦୀନ-ହୀନ ଦୁଃଖୀଙ୍କର ସେବା ଆବଶ୍ୟକ; ପତିତ-ପୀଡ଼ିତଙ୍କର ସହାୟତା ଦରକାର। ମୋତେ ଏଭଳି ଲୋକ ଦରକାର ଯାହାଙ୍କ ସେବା – ସହାୟତା କରି ତାଙ୍କର ଦୁଃଖ କମ୍ କରିପାରିବି, ତାଙ୍କ ଆଖିରୁ ଲୁହ ପୋଛିପାରିବି। ଏସବୁ ତ କେବଳ ମୃତ୍ୟୁଲୋକରେ ହିଁ ମିଳିବ। ଆପଣ ଦୟାକରି ମୋତେ ସେଠାକୁ ପଠାଇ ଦିଅନ୍ତୁ।
ଇନ୍ଦ୍ର ସେହିଦିନ ସୁଧର୍ମା ସଭାରେ ଘୋଷଣା କରିଦେଲେ, ମହାତ୍ମା ବିଦ୍ରୁଧ ସ୍ଵର୍ଗଠାରୁ ମଧ୍ୟ ମହାନ ତପଲୋକକୁ ଯିବାକୁ ଚାହାଁନ୍ତି। ତାଙ୍କପାଇଁ ବ୍ୟବସ୍ଥା କରାଯାଉ।
ଦେବତା ଆଶ୍ଚର୍ଯ୍ୟରେ ପଡ଼ିଗଲେ। ଇନ୍ଦ୍ର ହସିକରି କହିଲେ, ‘ସେହି ମହାନ ଲୋକ ହେଉଛି ପୃଥ୍ବୀ, ଯେଉଁଠାରେ ମନୁଷ୍ୟ ରହନ୍ତି ଓ ତପପୂର୍ଣ୍ଣ ଜୀବନ ଯାପନ କରନ୍ତି। ସ୍ଵର୍ଗକୁ ପୃଥ୍ବୀଲୋକରୁ ହିଁ ଦେବତା ତିଆରିହୋଇ ଆସନ୍ତି। ମନୁଷ୍ୟ ଲୋକମଙ୍ଗଳମୂଳକ କାର୍ଯ୍ୟ କରନ୍ତି, ଦୀନଦୁଃଖୀଙ୍କର ସେବା କରନ୍ତି, ନାନାପ୍ରକାର ତପସ୍ୟା କରନ୍ତି। ଭାବ ସମ୍ବେଦନାରେ ଓତପ୍ରୋତ ରହନ୍ତି, ପ୍ରଭୁଙ୍କର ଭକ୍ତିଭାବନାରେ ମଗ୍ନ ରହନ୍ତି। ଏସବୁ ମହାନ। ମନୁଷ୍ୟଙ୍କର ତପ ପ୍ରଭାବରେ ହିଁ ସମସ୍ତ ଲୋକର ବ୍ୟବସ୍ଥା ଚାଲୁଛି। ବିଦ୍ରୁଧ ସେହି ମହାନ ତପଲୋକକୁ ଯିବାକୁ ଚାହୁଁଛନ୍ତି। ଧନ୍ୟ ଏହାଙ୍କ ସେବାଭାବନା। ଶୁଣି ଦେବତାଗଣ ବିଦ୍ରୁଧଙ୍କପ୍ରତି ଶ୍ରଦ୍ଧାବନତ ହୋଇଗଲେ।