ମୁଖାଗ୍ନି
ତିନି ଦିନ ଧରି ସଂଜ୍ଞାହୀନ ଅବସ୍ଥାରେ ପଡି ରହି ପଣ୍ଡିତେ ଯେତେବେଳେ ଆଖି ଖୋଲିଲେ ତାଙ୍କ ଚାରିପଟରେ ଘେରି ରହିଥିବା ଲୋକେ ଆନନ୍ଦରେ
ମୁଖାଗ୍ନି
ତିନି ଦିନ ଧରି ସଂଜ୍ଞାହୀନ ଅବସ୍ଥାରେ ପଡି ରହି ପଣ୍ଡିତେ ଯେତେବେଳେ ଆଖି ଖୋଲିଲେ ତାଙ୍କ ଚାରିପଟରେ ଘେରି ରହିଥିବା ଲୋକେ ଆନନ୍ଦରେ ଅଧୀର ହୋଇ ପଡିଲେ। କାରଣ ତାଙ୍କ ଭଳି ଜଣେ ଗୁଣୀ, ଜ୍ଞାନୀ, ପରୋପକାରୀ ବ୍ୟକ୍ତିଙ୍କୁ ସହଜରେ ହରେଇବାକୁ ସେମାନେ ଚାହୁଁ ନ ଥିଲେ।
କିନ୍ତୁ ଖୁସି ହେଲାନି ପଣ୍ଡିତଙ୍କ ପୁଅ କୁଳଦୀପ। ସମସ୍ତେ ଚାଲିଗଲା ପରେ ବୋଉ ପାଖକୁ ଆସି ନିଜର ଉତ୍କଣ୍ଠା ପ୍ରକାଶ କଲା, ”ବୋଉ! ଏଥରକୁ ମିଶେଇ ତିନି ତିନି ଥର ବାପା ମୃତ୍ୟୁ ମୁଖରୁ ଫେରି ଆସିଲେଣି। ପ୍ରତି ଥର ଖବର ପାଇ ମୁଁ ଆସୁଛି। ଖାଲି ଖାଲି ଫେରିଯାଉଛି। ମୋର ଆସିବା ବୃଥା ହେଉଛି। ସୁଦୂର ଆମେରିକାରୁ ଆସିବା ଯିବା କେତେ କଷ୍ଟକର ତାହା ତୁ ବୁଝି ପାରିବୁନି। ମୁଁ ବିଦେଶ ଗଲାବେଳେ ତୁମେ ଦୁହେଁ କାନ୍ଦିଲ ବୋଲି ତୁମ ଅନୁନୟକୁ ଏଡେଇ ନ ପାରି ଶେଷବେଳରେ ଉପସ୍ଥିତ ରହିବା ପାଇଁ ପ୍ରତିଶ୍ରୁତି ଦେଇଥିଲି। ସେଇ କ୍ଷଣିକ ଭାବାବେଗକୁ ଜାବୁଡି ଧରି ଏତେ ହିନସ୍ତା ହୋଇପାରିବିନି। ଏଇଟା ଶେଷଥର। କାଲି ସକାଳୁ ମୁଁ ଚାଲିଯିବି। ଏଣିକି ମତେ ଆଉ ଖବର ଦେବନି। ବାପାଙ୍କ ପାଇଁ ହେଉ କି ତୋ ପାଇଁ।“
ପୁଅ ଭିତର ଘରକୁ ଚାଲିଗଲା। ପଣ୍ଡିତିଆଣୀଙ୍କ ମୁଣ୍ଡରେ ବଜ୍ର ପଡିଲା ଯେମିତି। ଲୁହ ଛଳ ଛଳ ଆଖିରେ ପଣ୍ଡିତଙ୍କ ଅର୍ଦ୍ଧନିମୀଳିତ ବାଷ୍ପାକୁଳ ନୟନକୁ ଚାହିଁ କହିଲେ, ”ଶୁଣିଲ ତ ପୁଅର ଶେଷ ନିଷ୍ପତ୍ତି? ଏବେ କୁହ କେମିତି ପୂର୍ଣ୍ଣ ହେବ ଆମର ଶେଷ ଇଚ୍ଛା।“
ପଣ୍ଡିତେ କିଛି କହିପାରିଲେନି। ତାଙ୍କ ଆଖିର ଲୁହ ଯାହା କିଛି ଇଶାରା ଦେଇଥିଲା। ପଣ୍ଡିତିଆଣୀଙ୍କ ଆଖିରେ ନିଦ ନ ଥିଲା। ସାରା ରାତି ନାନା ଅସାର କଳ୍ପନାରେ ଛଟପଟ ହେଉଥିଲେ।
ରାତି ପାହି ସକାଳ ହୋଇଯାଇଥିଲା। ବାପାଙ୍କ ଘରେ ଆଲୁଅ ସେମିତି ଜଳୁଥିଲା। ଚାଲ ଚାଲ ହୋଇ ଘର ଭିତରକୁ ପଶିଗଲା କୁଳଦୀପ। ହେଲେ ଯାହା ଦେଖିଲା ତା’ର ଆଶ୍ଚର୍ଯ୍ୟର ସୀମା ରହିଲାନି। ବାପା ବୋଉଙ୍କର ପ୍ରାଣହୀନ ଶରୀର ଭୂମି ଉପରେ ପଡିରହିଥିଲା। ପାଖରେ ପଡିଥିଲା ଉତ୍କଟ ହଳାହଳର ଅର୍ଦ୍ଧଶୂନ୍ୟ ଶିଶିଟିଏ। ବୋଉର ଛାତି ଉପରେ ଥିଲା ତା’ର ବିଦେଶ ଯାତ୍ରା ବେଳର ଫଟୋ ସମ୍ବଳିତ ଏକ ଖବରକାଗଜର ଛିନ୍ନାଂଶ। ହାତମୁଠାରେ ଛୋଟ କାଗଜ ଖଣ୍ଡିଏ।
ଖୋଲି ପଢ଼ିଲା କୁଳଦୀପ।
”ବାପାରେ ପିଲାଦିନେ ଆକାଶରେ ଉଡାଜାହାଜଟିଏ ଦେଖିଲେ ହାତ ଠାରି ତତେ କହୁଥିଲି, ତୁ କେଉଁ ଦିନ ବଡ ହେବୁ। ଏମିତି ଉଡିବୁ। ହେଲେ ତୁ କେଉଁ ଅଫେରନ୍ତା ରାଇଜକୁ ଉଡିଗଲୁ, ଟିକିଏ ଦେଖିବାକୁ ମିଳିଲୁନି। ଆମ ପାଇଁ ଦୁଃଖ କରିବୁନି। ବହୁତ ଭାବିଚିନ୍ତି ଏଭଳି ଦୁଃଖଦ ନିଷ୍ପତ୍ତି ନେଲୁ। ପୁଅର ଉପସ୍ଥିତିରେ ମୃତ୍ୟୁ କିଏ ନ ଚାହେଁ? ତୋ ହାତରେ ମୁଖାଗ୍ନି ନ ପାଇଥିଲେ ଆତ୍ମା ଆମର ଅମୋକ୍ଷ ରହିଥାନ୍ତା। ‘ପୁତ୍’ ନରକରେ ଘାଣ୍ଟି ହୋଇଥାନ୍ତା। ଶବ ପାଇଁ ମୁଖାଗ୍ନି ଲୋଡ଼ାହୁଏ। ହେଲେ ଆମେ ମୁଖାଗ୍ନି ପାଇଁ ଶବ ପାଲଟି ଯାଉଛୁ। ଶେଷ ଅନୁରୋଧ, ଯଥା ଶକ୍ତି ଆମର ଅନ୍ତିମ ସଂସ୍କାର କରିଦେଇ ତୋର ଗନ୍ତବ୍ୟ ସ୍ଥାନକୁ ଚାଲିଯିବୁ। ତୋ ଛଡା ଆମର ଆଉ କିଏ ଅଛି? ତୁ ପରା ଆମର ଏକୋଇର ବଳା! ଈଶ୍ୱର ତୋତେ ଦୀର୍ଘାୟୁ କରନ୍ତୁ।“ ………
ଗଳ୍ପଟି ସଂଗୃହିତ ଅଟେ।ଲେଖକଙ୍କ ପରିଚୟ ସଂପର୍କରେ ମୁଁ ସଂପୂର୍ଣ୍ଣଭାବେ ଅଜ୍ଞ କିନ୍ତୁ ଗଳ୍ପଟି ପଢିବା ପରେ ମନରେ ଏକ ଅପୂର୍ବ ଶିହରଣ ଖେଳିଗଲା।ଏଣୁ ଏହି ଗଳ୍ପଟି ଏହି ଗ୍ରୁପରେ ଛାଡିବାର ଦୁଃସାହସ କଲି।