ବ୍ରଜରାଜନଗର ଉପନିର୍ବାଚନରେ ୩ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ, ୧୧ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା ୩ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନରେ ସ୍ୱାଧୀନ ପ୍ରାର୍ଥୀ ତପନ ସ୍ୱାଇଁ, ପାର୍ବତୀ ବେହେରା ଓ ମନୋଜ ପ୍ରଧାନ ନିର୍ବାଚନ ଲଢ଼ିବେ ନାହିଁ। ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ପରେ ଏବେ ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହେବ। ତେବେ ବର୍ତ୍ତମାନର ନିର୍ବାଚନକୁ ନେଇ ରାଜନୀତିରେ ଯାହା ପରିଦୃଶ୍ୟ ଦେଖାଯାଉଛି ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହୋଇପାରେ। ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି, ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ କିଶୋର କୁମାର ପଟେଲ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ)ର ରମେଶ କୁମାର ତ୍ରିପାଠୀ, ବିଜେପିର ରାଧାରାଣୀ ପଣ୍ଡା, ହିନ୍ଦୁସ୍ଥାନ ନିର୍ମାଣ ଦଳ ବିଜୟ କୁମାର ଜାଳାନ, ସ୍ୱାଧୀନ ପ୍ରାର୍ଥୀ ଅବ୍ୟୟଭାରତୀ ଶେଖାଓ୍ଵତ, ଆଦିତ୍ୟ ପ୍ରଧାନ, ଦୀନବନ୍ଧୁ ବିଶ୍ୱାଳ, ମନୋଜ ମେହେର, ସୀତାରାମ ବେହେରା ଓ ସୁପ୍ରୀତ ବେହେରା ଅବତୀର୍ଣ୍ଣ ହୋଇଛନ୍ତି। ସୂଚନା ଅନୁଯାୟୀ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତା ୩୧ ତାରିଖରେ ଭୋଟ ଗ୍ରହଣ କରାଯିବ।


